ଅନୁଗୋଳ ଅଫିସ୍, ୨୭ା୩- ଅନୁଗୋଳ ଜିଲାକୁ ବାହାରୁ ଫେରିଥିବା ୨ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେମାନେ ଘରେ ନ ଥିବା ଭେରିଫିକେଶନ ବେଳେ ଜଣାପଡିଛି। ସମ୍ପୃକ୍ତ ୨ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।ଏଥିସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା କ୍ୱାରାଣ୍ଟାଇନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ସମଲ ଓ ନିଶା ଶିଳ୍ପାଞ୍ଚଳ ଥାନାରେ ଏ ସଂକ୍ରାନ୍ତରେ ୨ଟି ମାମଲା ରୁଜୁ କରାଯାଇଥିବା ଅନୁଗୋଳ ଏସପି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । କ୍ୱାରାଣ୍ଟାଇନ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ନ କରିବାକୁ ପୋଲିସ କହିଛି। ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଏସପି କହିଛନ୍ତି । ଅନ୍ୟପକ୍ଷରେ ଜିଲାରେ ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ସେମାନଙ୍କ ନିକଟରୁ ୨ଟି ବାଇକ୍, ୬୯ ଲିଟର ମଦ ଜବତ କରାଯାଇଛି । ସେମାନଙ୍କ ମଧ୍ୟରେ ବିନା କାମରେ ଘରୁ ବାହାରିବା ଅଭିଯୋଗରେ ୫ ଜଣ ଓ କୋଲିୟରୀ ଥାନା ଅଞ୍ଚଳରେ ମଦ ବିକ୍ରି କରୁଥିବା ୨ ଜଣ ରହିଛନ୍ତି ।