କ୍ୱାରାଣ୍ଟାଇନରେ ୨୩ ଲକ୍ଷ

ନୂଆଦିଲ୍ଲୀ,୨୯ା୫(ପି.ଟି.): କୋଭିଡ୍‌-୧୯ ଯୋଗୁ ସାରା ଦେଶ ଲକ୍‌ଡାଉନରେ ଥିବାବେଳେ ବିଭିନ୍ନ ସ୍ଥାନକୁ ଗସ୍ତ କରିଥିବା କିମ୍ବା ବିଦେଶରୁ ଫେରିଥିବା ପାଖାପାଖି ୨୩ ଲକ୍ଷ ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଅଧିକାଂଶ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ୭ଦିନ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି। ମେ’ ୨୬ ସୁଦ୍ଧା ଦେଶର ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ୨୨.୮୧ ଲକ୍ଷ ଲୋକ ରହିଥିବା ଜଣାପଡିଛି। ମେ’ ୧୪ରେ ଏହି ସଂଖ୍ୟା ଥିଲା ୧୧.୯୫ ଲକ୍ଷ। ଅର୍ଥାତ୍‌ ୧୨ ଦିନ ମଧ୍ୟରେ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣ ହୋଇଛି। ଏବେ ମହାରାଷ୍ଟ୍ରରେ ସର୍ବାଧିକ ୬.୦୨ ଲକ୍ଷ କ୍ୱାରାଣ୍ଟାଇନରେ ଥିବାବେଳେ ଗୁଜରାଟରେ ୪.୪୨ ଲକ୍ଷ ରହିଛନ୍ତି। ଟ୍ରେନ୍‌ ଓ ବସ୍‌ ଯୋଗେ ବୁଧବାର ସୁଦ୍ଧା ବିଭିନ୍ନ ଅଞ୍ଚଳରୁ ୯୧ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କ ଜନ୍ମସ୍ଥାନକୁ ଫେରିଛନ୍ତି। ଉତ୍ତରପ୍ରଦେଶକୁ ସର୍ବାଧିକ ଶ୍ରମିକ ଫେରିଥିବାବେଳେ ସେଠାରେ ୩.୬ ଲକ୍ଷଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ବନ୍ଦେ ଭାରତ ମିଶନରେ ୪୦ଟି ଦେଶରୁ ପ୍ରାୟ ୩୦ ହଜାର ଭାରତୀୟ ଫେରିଲେଣି। ୬୦ ଦେଶରୁ ଲକ୍ଷେ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରିଛନ୍ତି।

Share