କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ମହିଳା, ଶିଶୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବାଲେଶ୍ୱର ଅଫିସ,୨।୫: ଅନ୍ୟ ରାଜ୍ୟରୁ ବାଲେଶ୍ୱର ଜିଲାକୁ ଆସୁଥିବା ବହିରାଗତଙ୍କ ପାଇଁ କ୍ୱାରଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଭାଜପା ମହିଳାମୋର୍ଚ୍ଚା ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏହି କେନ୍ଦ୍ରରେ ପୁରୁଷମାନେ ଗାଧୋଇବା, ଶୌଚ ଯିବା ଭଳି କାର୍ଯ୍ୟ କୌଣସି ପ୍ରକାରେ ତୁଲାଇ ନେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି। କେଉଁ କ୍ୱାରାଣ୍ଟାଇନ୍‌ ଗୃହରେ ପାଇଖାନା ଅଛି ତ କେଉଁଠି ପାଣିର ଅଭାବ, ଅନ୍ୟ କେଉଁଠି ଟ୍ୟୁବଓ୍ବେଲ କାମ କରୁନି। କେତେକ ସ୍ଥାନରେ ପାଇଖାନା ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ନେଇ ଭାଜପା ମହିଳାମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମାରାଣୀ ବିଶ୍ୱାଳ, ମହିଳାମୋର୍ଚ୍ଚା ଜିଲା ସଭାପତି କମଳା ବିନ୍ଧାଣି, ନେତ୍ରୀ ସିପ୍ରା ବାଜପେୟୀଙ୍କ ନେତୃତ୍ୱରେ ଏହାକୁ ସମାଧାନ କରିବା ପାଇଁ ଯଥାଶୀଘ୍ର ଚେଷ୍ଟା କରାଯାଉ ବୋଲି ଦାବି କରି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି।