କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ

ସଜନାଗଡ଼,୨୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଗାଧୁଆ ଘରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ରତ୍ନାକର ଜେନା ନାମକ ଯୁବକଙ୍କୁ ପୋାଲିସ ଗିରଫ କରିଛି। ଏନେଇ ଥାନାରେ ମାମଲା(ନଂ.୪୯/୨୦) ରୁଜୁ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ନୀଳଗିରି ତହସିଲଦାର ଅଶେଷ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପୂର୍ବାହ୍ନ ସମୟରେ ରତ୍ନାକର କ୍ୱାରାଣ୍ଟାଇନ୍‌ କେନ୍ଦ୍ର ମଧ୍ୟକୁ ପଶି ଗାଧୁଆ ଘରେ ବଳାତ୍କାର ଉଦ୍ୟମ କରିଥିଲେ। ଯୁବତୀ ଜଣକ ପାଟି କରିବାରୁ କେନ୍ଦ୍ରରେ ଥିବା ଅନ୍ୟ ୩ଜଣ ମହିଳା ଦୌଡ଼ି ଆସିଥିଲେ। ସମ୍ପୃକ୍ତ ଯୁବକ ଘଟଣାସ୍ଥଳରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟମାନେ ତାଙ୍କୁ କାବୁ କରି ଗଛରେ ବାନ୍ଧି ପକାଇଥିଲେ। ସମ୍ପୃକ୍ତ ଯୁବକ ଓ ତାଙ୍କୁ ସହଯୋଗ କରିଥିବା ଜଣେ ସୁରକ୍ଷାକର୍ମୀଙ୍କ ବିରୋଧରେ ପୀଡିତା ବରହମ୍‌ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।