କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ

ସଜନାଗଡ଼, ୩୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଓଡ଼ିଆ ଯୁବତୀଙ୍କୁ ଗାଧୁଆଘରେ ଗତ ୨୬ତାରିଖରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ମାମଲା (ନଂ. ୩୯/୨୦) ରୁଜୁ କରାଯାଇ ଅଭିଯୁକ୍ତ ରତ୍ନାକର ଜେନାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ପୋଲିସ ଆଖିଦୃଶିଆ ପଦକ୍ଷେପ ନେଇନାହିଁ ବୋଲି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ, ପୀଡିତା ଓ ତାଙ୍କ ପରିବାର ଲୋକେ ଶନିବାର ଏକ ଖବରଦାତା ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଠାରେ ଦର୍ଶାଯାଇଥିଲା ଯେ, ରତ୍ନାକରଙ୍କୁ ସହଯୋଗ କରିଥିବା ସିକ୍ୟୁରିଟିଙ୍କ ବିରୋଧରେ ପୀଡ଼ିତା ଅଭିଯୋଗ କରିଥିଲେ। ପୋଲିସ ସିକ୍ୟୁରିଟିଙ୍କୁ ଗିରଫ କରି ନ ଥିବା ବେଳେ ଅଭିଯୁକ୍ତ ରତ୍ନାକରଙ୍କ ପ୍ରତି କୋହଳ ଦଫା ଲଗାଇଛି। ଅଭିଯୋଗକୁ ଭିତ୍ତି କରି ଦଫା ଦେବାକୁ ପଡ଼ିଥାଏ। ସେ ଯାହା ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ ବୋଲି ବରହମ୍‌ପୁର ପୋଲିସ ପକ୍ଷରୁ କୁହାଯାଇଛି।