କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଡାକ୍ତର: ଜିଲା ବାହାରୁ ଆସି ରୋଗୀସେବା ଅଭିଯୋଗ

ଅନୁଗୋଳ ଅଫିସ, ୧।୫ –  କରୋନା ପାଇଁ କଟକଣା ଲାଗିଥିବାରୁ ଜିଲା ବାହାରୁ ଆସିଥିଲେ କ୍ୱାରାଣ୍ଟାଇନ୍‌ରେ ରହିବାର ନିୟମ ରହିଛି। କିନ୍ତୁ ୩ ମାସ ଧରି ଛୁଟିରେ ଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏହି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଡାକ୍ତର ଜଣକ ବୁଧବାର ଜିଲା ବାହାରୁ ଆସି ସିଧାସଳଖ ମେଡିକାଲରେ ରୋଗୀ ଦେଖିବା ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗ ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗ ଡାକ୍ତର ନନ୍ଦ କିଶୋର ସାହୁ ୩ ମାସ ହେବ ଛୁଟିରେ ଯାଇଥିଲେ। ଛୁଟି ଅବଧି ଶେଷ ହୋଇଯାଇଥିବାରୁ ସେ ବୁଧବାର କାର୍ଯ୍ୟକ୍ଷେତ୍ରକୁ ଫେରିଆସିଛନ୍ତି। ସେ ଜିଲା ବାହାରୁ ଆସିଥିବାରୁ ରୋଗୀସେବା ନ କରି ପ୍ରଥମେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା କଥା। କିନ୍ତୁ ଡାକ୍ତର ସାହୁ ଆଇନ ଅନୁସାରେ କାର୍ଯ୍ୟ ନ କରି ମେଡିକାଲ ଯାଇ ରୋଗୀସେବା କରିଥିବାରୁ ସରକାରୀ ନିୟମ ପାଳନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଡାକ୍ତର ସାହୁ କହିଛନ୍ତି ସେ ମେଡିକାଲରେ ନୁହେଁ ଘରେ ରହିଛନ୍ତି। ଏଡିଏମ୍‌ଓ ମେଡିକାଲ ଶ୍ୟାମ ପ୍ରସାଦ ଦାସ କହିଛନ୍ତି, ଡାକ୍ତର ସାହୁ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସିଡିଏମ୍‌ଓ ବାହାରେ ଥିବାରୁ ଡାକ୍ତର କାର୍ଯ୍ୟରେ ଯୋଗ ଦେବେ ନା କ୍ବାରାଣ୍ଟାଇନ୍‌ରେ ରହିବେ ସେ ନିଷ୍ପତ୍ତି ହୋଇନାହିଁ। ସିଡିଏମ୍‌ଓ ପ୍ରତାପ ବେହେରା କହିଛନ୍ତି, ତାଙ୍କୁ କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୪ ଦିନିଆ ସଙ୍ଗରୋଧ ଶେଷ ହେବା ପରେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।

Share