କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେଇ ରାଜନୀତି

ଭୁବନେଶ୍ୱର, ୨୮।୫(ବ୍ୟୁରୋ): କରୋନା ସଙ୍କଟ ବଢି ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳଗୁଡିକ ପକ୍ଷରୁ ପରସ୍ପର  ବିରୋଧରେ କାଦୁଅଫିଙ୍ଗା ଜାରି ରଖିଛନ୍ତି। ରାଜ୍ୟରେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ଆଣି ଉଭୟ କଂଗ୍ରେସ ଏବଂ ଭାଜପା ଗୁରୁବାର ସରକାରଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ଉଭୟ ବିଜେଡି ଏବଂ ଭାଜପାକୁ ଟାର୍ଗେଟ କରିଛି। କେନ୍ଦ୍ର ଓ ରାଜ୍ୟରେ ଥ୍ରୀ-ପିର ସରକାର ଚାଲିଛି ବୋଲି କହିଛି। ସେହିପରି କେନ୍ଦ୍ରର ଠିକ ପରିଚାଳନା ନ ହେଲେ ରାଜ୍ୟ ସରକାରଙ୍କୁ ବିରୋଧ କରିବାକୁ ଭାଜପା ପଛାଇବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଗୁରୁବାର ସ୍ବିକ୍‌ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କରୋନା ଯୁଦ୍ଧବେଳେ ଏହି ଦୁଇ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛନ୍ତି। ନିର୍ବାଚନ ସ୍ବପ୍ନ ନ ଦେଖି ରାଜ୍ୟବାସୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସିବା ଉଚିତ୍‌। ସରକାର ୭ଲକ୍ଷ ବେଡ୍‌ ଥିବା କଥା କହୁଛନ୍ତି, ହେଲେ ୩ ଲକ୍ଷ ଆସିଛନ୍ତି ସେଥିରୁ ଲକ୍ଷେ ପଳାଇଲେଣି। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଥ୍ରି-ପି ସରକାର ଅର୍ଥାତ୍‌ ପ୍ରତିଶ୍ରୁତି, ପ୍ରଚାର ଓ ପ୍ରତାରଣାର ସରକାର ଚାଲିଛି ବୋଲି ସେ କହିଛନ୍ତି।
ସେହିପରି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅର୍ଥକୁ ନେଇ ଦୁର୍ନୀତିକୁ ପ୍ରଶ୍ରୟ ଦେଲେ ବିରୋଧ କରାଯିବ। ଅନିୟମିତତା ଧରିବାକୁ ସବୁ ପଞ୍ଚାୟତରେ ଆର୍‌ଟିଆଇ ପ୍ରମୁଖଙ୍କୁ ଭାଜପା ନିଯୁକ୍ତ କରିବ।
ସେହିପରି କଂଗ୍ରେସର ସ୍ପିକ୍‌ ଅପ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମାଲୋଚନା କରି ପୃଥ୍ବିରାଜ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଥାରେ ତାଳମେଳ ନାହିଁ। ବର୍ତ୍ତମାନ ସେ ଅରାଜକତା ପାଇଁ ଚେଷ୍ଟା କରୁଛନ୍ତି।
ବିଜେଡି ରାଜ୍ୟସଭା ସଦସ୍ୟ ସୁବାସ ସିଂ କହିଛନ୍ତି, କରୋନା ମହାମାରୀରେ କେନ୍ଦ୍ର ସହ ସମନ୍ବୟ ରକ୍ଷାକରି ରାଜ୍ୟ ସରକାର ମୁକାବିଲା କରୁଛନ୍ତି। ପ୍ରଥମ ରାଜ୍ୟଭାବେ ଓଡିଶା ଖାଦ୍ୟ ଓ ରୋଜଗାର ବ୍ୟବସ୍ଥା କରିଛି। ଜୁନ୍‌ ୧୫ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ। ଏପରି ସ୍ଥିତିରେ ରାଜନୀତି ତର୍କ କରା ନ ଯାଉ ବୋଲି ସେ କହିଛନ୍ତି।

Share