କ୍ୱାରାଣ୍ଟାଇନ୍‌ ସେଣ୍ଟରର ଖର୍ଚ୍ଚ ହିସାବ ମାଗିଲେ ସରକାର

ଭୁବନେଶ୍ୱର,୧୩ା୬(ବ୍ୟୁରୋ) : ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ଟିଏମ୍‌ସି ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ତେବେ ଏହି ସେଣ୍ଟରଗୁଡ଼ିକରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଛନ୍ତି ସରକାର। ଶନିବାର ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ ସିଂ ଚିଠି ଲେଖି ସମସ୍ତ ଜିଲାର ଜିଲାପାଳ, ପିଡି ଏବଂ ବିଡିଓଙ୍କୁ ଖର୍ଚ୍ଚର ହିସାବ ଦେବାକୁ କହିଛନ୍ତି। ଜୁନ୍‌ ୧୯ ସୁଦ୍ଧା କ୍ୱାରାଣ୍ଟାଇନ୍‌ ସେଣ୍ଟରର ଖର୍ଚ୍ଚ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ବିଭାଗ ପକ୍ଷରୁ ଚିଠିରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଜିଲାରେ ୧୬୮୧୩ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ଯେଉଁଠି ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ରହିଛନ୍ତି। ଏହି ସେଣ୍ଟରରେ ସରକାର ପ୍ରବାସୀଙ୍କ ପାଇଁ ଖାଦ୍ୟପେୟ ସହିତ ୨ ହଜାର ଟଙ୍କା ମଧ୍ୟ ଯୋଗାଇ ଦେଉଛନ୍ତି। ପୂର୍ବରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ୧୪ ଦିନ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ୨୧ ଦିନ ବଢ଼ାଇ ଦିଆଯାଇଥିଲା।

Share