କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଅଣାଯାଇଥିଲା ସୋର ଡାକ୍ତରଖାନା: ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୋର,୪।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ବିପିନ୍ନ ବିହାରୀ ମହାନ୍ତି ମୁମ୍ବାଇରୁ ଆସି ସ୍ଥାନୀୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ। ବୁଧବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା କରିବା ସହିତ ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ଗୁରୁବାର ଭୋରରେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ସମ୍ପର୍କୀୟ ଓ ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ଚି ଭୁଲ ଇଞ୍ଜେକସନ ଦେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ପାଟିତୁଣ୍ଡ କରିଥିଲେ। ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା ମିଳିଛି।