କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ କରୋନା ଆକ୍ରାନ୍ତ ଚିହ୍ନଟଙ୍କୁ ଛାଡ଼ିଲେନି ପ୍ରବାସୀ, ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଅଡ଼ିବସିଲେ

ଭଣ୍ଡାରିପୋଖରୀ,୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ରହୁଥିଲେ ମଧ୍ୟ କାହାର ସ୍ବାବ୍‌ ଟେଷ୍ଟ କରାଯାଉ ନ ଥିବାରୁ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭଣ୍ଡାରିପୋଖରୀ ବ୍ଲକରେ ଶନିବାର ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମହୁରା କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଆକ୍ରାନ୍ତଙ୍କୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ ଦୁଇଘଣ୍ଟା ଧରି ରହିଥିଲା। କ୍ୱାରାଣ୍ଟାଇନ୍‌ରେ ଥିବା ସମସ୍ତ ପ୍ରବାସୀଙ୍କ ସ୍ବାବ୍‌ ଟେଷ୍ଟ ହେଉ ବୋଲି ସେମାନେ ଦାବି କରିଛନ୍ତି। ତେବେ ଏହି ସେଣ୍ଟରରୁ ଜଣେ ମହିଳା କରୋନା ପଜିଟିଭ୍‌ ଚିହ୍ନଟ ପରେ ଏପରି ଅସନ୍ତୋଷ ପ୍ରକାଶ ପାଇଛି
ମହିଳାଙ୍କ ସ୍ବାମୀଙ୍କ କହିବାନୁଯାୟୀ, ଯଦି ତାଙ୍କର ପଜିଟିଭ୍‌ ବାହାରିଲା ତେବେ ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ କରାଯାଉ। ଏଥିନେଇ ଦୁଇଘଣ୍ଟା କଥା କଟାକଟି ଚାଲିବାରୁ ଆମ୍ବୁଲାନ୍ସ ଅଟକି ରହିଥିଲା। ସେଣ୍ଟରଟି ଧାମନଗର ଥାନା ଅଞ୍ଚଳରେ ଯାଉଥିବାରୁ ଧାମନଗର ଆଇଆଇସି ରତିକାନ୍ତ ଗିରି,ସରପଞ୍ଚ ପ୍ରତିନିଧି ବାବାଜୀ ଚରଣ ଜେନା ଘଟଣାସ୍ଥଳରେ ପହଞ୍ଚି ଭଣ୍ଡାରିପୋଖରୀ ବିଡିଓ ବିଜୟ ସାହୁଙ୍କ ସହ କଥା ହୋଇ ଜିଲାପାଳଙ୍କ ସହ ଆଲୋଚନା କରି ଏନେଇ କ’ଣ କରାଯାଇପାରିବ ପ୍ରତିଶ୍ରୁତି ଦେବା ପରେ ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସରେ ଭଦ୍ରକ କୋଭିଡ୍‌ ହସ୍ପିଟାଲ ନିଆଯାଇଥିଲା।