କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି। ଏବେ ବିହାରରେ ଏକ କ୍ୱରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମନୋରଞ୍ଜନ ପାଇଁ ନାଚୁ ଥିବା ଜଣେ ରୋଷେୟାଙ୍କ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ହିନ୍ଦୀ ଫିଲ୍ମ ପଡ଼ୋଶନ୍‌ର ‘ଏକ ଚତୁର ନାରୀ…’ ଗୀତର ତାଳେ ତାଳେ ରୋଷେୟା ରିଙ୍କୁ ସିଂଙ୍କ ନାଚ ସୋସିଆଲ୍‌ ମିଡ଼ିଆରେ ୟୁଜରଙ୍କୁ ଆକର୍ଷିତ କରିପାରିଛି। ୬ ମିନିଟର ଏହି ଭିଡ଼ିଓକୁ ନେଇ ଚର୍ଚ୍ଚା ଜାରି ରହିଛି। ବିହାର କଟିହାରର ସୁଜାପୁର ସ୍ଥିତ ଲକ୍ଷ୍ମଣ ମଣ୍ଡଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିଙ୍କୁ ରୋଷେୟା ଭାବେ କାମ କରନ୍ତି। କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ବିସାଦଗ୍ରସ୍ତ ରହୁଥିବାରୁ ରିଙ୍କୁ ସେମାନଙ୍କ ମୁହଁରେ ହସ ଫୁଟେଇବା ପାଇଁ ଏଭଳି କରିଥିବା କହିଛନ୍ତି। ସୂଚନାଯୋଗ୍ୟ, ଗାଁରେ ରିଙ୍କୁ ଏକ ହୋଟେଲ ମଧ୍ୟ କରିଛନ୍ତି। ତେବେ ଲକ୍‌ଡାଉନ୍‌ ଯୋଗୁ ହୋଟେଲ ଏବେ ବନ୍ଦ ରହିଛି। ତେଣୁ ରିଙ୍କୁ ସ୍କୁଲରେ ପ୍ରବାସୀ ଶ୍ରମିକଙ୍କ ପାଇଁ ରନ୍ଧାବଢ଼ା କାମ କରୁଛନ୍ତି।

Share