କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୪ା୫: କରୋନା ମହାମାରୀ ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଆମ ରାଜ୍ୟରେ ବର୍ତ୍ତମାନ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ରେଡ୍‌ ଜୋନ୍‌ରେ ରହିଛି। ରେଡ୍‌ ଜୋନ୍‌ର କାରଣ ହେଲା କୋଲକାତା ଫେରନ୍ତା। କୋଲକୋତାରୁ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ବ୍ୟଗ୍ର ହେଲେ ଶ୍ରମିକ। ଗାଁକୁ ଫେରିବା ପରେ ଏମାନଙ୍କୁ ଘରେ ନ ରଖି ସ୍ଥାନୀୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଗଲା। ସକାଳୁ ରାତି ପର୍ଯ୍ୟନ୍ତ ଖାଇବା ପିଇବା ଆଦି ଯୋଗାଇ ଦିଆଯାଉଛି। ଏମାନଙ୍କ ପାଇଁ ଭଦ୍ରକ ସମେତ ସାରା ଓଡ଼ିଶା ଆଜି ଆତଙ୍କିତ। ମାତ୍ର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଏମାନେ କ୍ୱାରାଣ୍ଟାଇନ୍‌ରେ ରହି ମଉଜ ମସ୍ତି କରିବା ସହ ଟିକ୍‌ଟିକ୍‌ କରୁଛନ୍ତି। ଏ ଚିତ୍ର ହେଉଛି ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ କ୍ବାରାଣ୍ଟାଇନ ସେଣ୍ଟରର। ଏହି ଭାଟପଡ଼ା ପଞ୍ଚାୟତର ତିହିଡି ହାଇସ୍କୁଲରେ ହୋଇଥିବା କ୍ବାରାଣ୍ଟାଇନ ବା ସଙ୍ଗରୋଧ ଗୃହରେ ୯ଜଣ କୋଲକାତା ଫେରନ୍ତା ଅଛନ୍ତି। ଏମାନଙ୍କ ଏଭଳି ବ୍ୟବହାରରେ ସ୍ଥାନୀୟ ମହିଳା ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ଅତିଷ୍ଠ ହୋଇ ଏହି ୯ଜଣଙ୍କ ମଧ୍ୟରୁ ୭ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ତିହଡ଼ି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।