କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି ଅନିଦ୍ରା ହେବାକୁ ପଡ଼ିଛି। ଫଳରେ ବୁଧବାର ସକାଳୁ ଉକ୍ତ ଅନ୍ତେବାସୀଙ୍କ ସମ୍ପର୍କରେ କଣ୍ଟାପଡ଼ା ସରପଞ୍ଚ ପ୍ରୀତିଲତା ବେହେରା ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଜଣାଇବା ପରେ ଡାକ୍ତର ଆସି ସମ୍ପୃକ୍ତ ପ୍ରବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି।
ଖବରରୁ ଜଣାପଡ଼ିଛି, ମଙ୍ଗଳବାର ସମ୍ପୃକ୍ତ ଯୁବକ ହାଇଦ୍ରାବାଦରୁ ଆସି ନିଜ ଗ୍ରାମକୁ ପଳାଇଥିଲେ। ଯୁବକଙ୍କ ପରିବାର ଲୋକେ ତାଙ୍କୁ ଘରେ ନ ପୂରାଇ କଣ୍ଟାପଡ଼ା ସରପଞ୍ଚଙ୍କ ନିକଟକୁ ଖବର ଦେଇଥିଲେ। ଖବରପାଇ ସରପଞ୍ଚ ଓ କ୍ୱାରାଣ୍ଟାଇନ୍‌ ସେଣ୍ଟର କର୍ମଚାରୀ ତାଙ୍କୁ ଗ୍ରାମରୁ ନେଇଆସି କେନ୍ଦ୍ରରେ ରଖିଥିଲେ। ମାତ୍ର ଯୁବକ ଜଣକ ନଶୋଇ ରାତିସାରା ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିବା ସହ ଏଣେତେଣେ ବୁଲାବୁଲି କରିଥିଲେ। ଫଳରେ କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ ରାତିସାରା ଜଗି ରହିଥିଲେ।

Share