କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ଡବ୍ଲ୍ୟୁଏଚ୍‌ଓ ଅଧିକାରୀ: ଅନ୍ତେବାସୀଙ୍କୁ ସମସ୍ୟା ପଚାରି ବୁଝିଲେ

ବନ୍ତ, ୯।୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଅତିରିକ୍ତ ସେଣ୍ଟରରେ ପ୍ରବାସୀ ଓଡିଆମାନଙ୍କୁ ଆଇଶୋଲେଶନରେ ରଖାଯାଇଛି। ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି। ଏହି ପରିପ୍ରେକ୍ଷୀରେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ବିଭିନ୍ନ ସୁବିଧା ଅସୁବିଧା ତଦାରଖ କରିବା ପାଇଁ ସୋମବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସର୍ଭେଲାନ୍ସ ମେଡିକାଲ ଅଫିସର ଅର୍ଚ୍ଚନା ଗାଏନ ଓଡଙ୍ଗ, ଛୟାଳସିଂ, ଗଣିଜାଙ୍ଗ ସମେତ ଷେଣ୍ଢତୀରାସ୍ଥିତ କୋଭିଡ୍‌ କେୟାର ହସ୍‌ପିଟାଲ ପରିଦର୍ଶନ କରିଥିଲେ। ଉପରୋକ୍ତ ସେଣ୍ଟରଗୁଡିକରେ ଶୌଚାଳୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଠିକ୍‌ ରହିଛି କି ନାହିଁ, ସାମାଜିକ ଦୂରତା ରକ୍ଷା କରାଯାଉଛି କି ନାହିଁ, ମାସ୍କ ବ୍ୟବହାର କରାଯାଉଛି କି ନାହିଁ ସେ ସମ୍ପର୍କରେ ତଦାରଖ କରିଥିଲେ। ଏଥିସହ କେତେଜଣ ଅନ୍ତେବାସୀମାନଙ୍କୁ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ା ପରିଦର୍ଶନ ବେଳେ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ସରପଞ୍ଚ, ନୋଡାଲ ଅଫିସର ଏବଂ ଟି.ଏମ୍‌.ସି ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ା

Share