Categories: ମେଟ୍ରୋ

କ୍ୱାରାଣ୍ଟାଇନ କ୍ୟାମ୍ପ ପାଇଁଁ ୬ ୱାର୍ଡ ଖାଲିକଲେ ଏସ୍‌ ଭି ନିରତାର କର୍ତ୍ତୃପକ୍ଷ

କଣ୍ଟାପଡା,୨୫ା୩(ଡି.ଏନ୍‌.ଏ.)- ମହାମାରୀ କରୋନାର ପ୍ରତିଷେଧକ ପାଇଁ ସାରା ଭାରତ ୨୧ଦିନ ପାଇଁ ଲକଡାଉନ କରାଯାଇଛି। କରୋନା ଆକ୍ରାନ୍ତ, ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଚିକିତ୍ସା ପାଇଁ କଟକ ଜିଲା ଓଲଟପୁରସ୍ଥିତ ଏସ୍‌ ଭି ନିରତାର ଦିବ୍ୟାଙ୍ଗ ଗବେଷଣା ଓ ସ୍ବାସ୍ଥ୍ୟକେନ୍ଦ୍ରର ୬ଟି ୱାର୍ଡକୁ ବୁଧବାରଠାରୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରିଦିଆଯାଇଛି। ଏହି ବେଡଗୁଡ଼ିକୁ କ୍ୱାରାଣ୍ଟାଇନ କ୍ୟାମ୍ପ କରି କରୋନା ସଂକମ୍ରଣ ହୋଇଥିବା ଆକ୍ରାନ୍ତମାନଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି। ନିରତାରରେ ମୋଟ ୧୦୦ଟି ବେଡ ଥିବାବେଳେ ସେଥିମଧ୍ୟରୁ ୭୨ଟି ବେଡକୁ କରୋନା ଦୃଷ୍ଟିରୁ ଖାଲି କରାଯାଇଛି ବୋଲି ନିରତାର ପିଏମଆର୍‌ଡି ବିଭାଗ ମୁଖ୍ୟ ଡା. ପବିତ୍ର ମୋହନ ସାହୁ କହିଛନ୍ତି।  ଏ ନେଇ ମଙ୍ଗଳବାର କଟକ ଜିଲାପାଳ ଭବାନୀ ଶଙ୍କର ଚଇନି, କଟକ ଜିଲା ମୁଖ୍ୟ ଚିକିତ୍ସାଧାରୀ ଡା. ସତ୍ୟବ୍ରତ ଛୋଟରାୟ, ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବାସୁଦେବ ମାରାଣ୍ଡି ପ୍ରମୁଖ ନିରତାରରେ ପହଞ୍ଚି ନିରତାର ବୈଷୟିକ ଉପନିର୍ଦ୍ଦେଶକ ଡା. କିଶୋରଚନ୍ଦ୍ର ମହାପାତ୍ର ଓ ଡା. ପବିତ୍ର ମୋହନ ସାହୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ନିରତାର କର୍ତ୍ତୃପକ୍ଷ ସହମତି ପ୍ରକାଶ କରିବା ସହ ଏଥିପାଇଁ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ୟାମ୍ପ ପାଇଁ ଜିଲା ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳ ଅଡ଼ଶପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମାରାଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share