କ୍ୱାରାଣ୍ଟାଇନ ଶେଷ ପରେ ଗାଁରେ ପହଞ୍ଚାଇଲାନି ପ୍ରଶାସନ: ରାତିରେ ଅଧାରାସ୍ତାରେ ଛାଡ଼ିଗଲେ ଡ୍ରାଇଭର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ କଡ଼ାକଡ଼ି ପାଳନ କରୁଛି। ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ସଙ୍ଗରୋଧ ଗୃହରେ ୧୪ ଦିନ ରଖିବା ପରେ ଛଡ଼ାଯାଉଛି। ତେବେ ସଙ୍ଗରୋଧ ଗୃହରେ ଧାର୍ଯ୍ୟ ସମୟ ବିତାଇବା ପରେ କେତେଜଣ ଶ୍ରମିକଙ୍କୁ ସେମାନଙ୍କ ଗ୍ରାମକୁ ପଠାଇବା କ୍ଷେତ୍ରରେ ପ୍ରଶାସନ ପଦକ୍ଷେପ ନେଉନି। ଏପରି ଦେଖିବାକୁ ମିଳିଛି ଜିଲାର ମହାରାଜପାଲି ପଞ୍ଚାୟତ ଏମ୍‌ପିଭି-୮୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ଶ୍ରମିକମାନଙ୍କ କ୍ଷେତ୍ରରେ। ଖବରରୁ ଜଣାପଡ଼ିଛି ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତ ପୁରିଗୁଡ଼ା ଗ୍ରାମର ହାଡି କିର୍ଷାନ,ଲକ୍ଷ୍ମୀ କିର୍ଷାନି, ମାଥିଲି ବ୍ଲକ ସାଲିମି ପଞ୍ଚାୟତର ରତନ ନାୟକ, ଆନ୍ଧ୍ରର ବିଜୟୱାଡା ଏବଂ କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଏମ୍‌ଭି-୩୭ ଗ୍ରାମର ହୀରାମଣି ବିଶ୍ୱାସ ହାଇଦ୍ରାବାଦ କାମ କରିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ଘୋଷଣା ପରେ ସେମାନେ ଗ୍ରାମକୁ ଫେରିପାରି ନ ଥିଲେ। ପାଖରେ ଥିବା ଅର୍ଥ ଖର୍ଚ୍ଚ ହୋଇଯିବା ପରେ ଚଳିବା ପାଇଁ ଅସୁବିଧାରେ ପଡ଼ିଥିଲେ। ବାଧ୍ୟ ହୋଇ ନିଜ ଗ୍ରାମକୁ ଚାଲିଚାଲି ଆସୁଥିବା ବେଳେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମୋଟୁଠାରେ ଯାଞ୍ଚ ବେଳେ ସେମାନଙ୍କୁ ଅଟକରଖାଯାଇ ପରେ ମହାରାଜପାଲି ସଙ୍ଗରୋଧ ଗୃହରେ ରଖାଯାଇଥିଲା। ରବିବାର ସେମାନଙ୍କ ୧୪ଦିନ ଅବଧି ଶେଷହେବା ପରେ ଏକ ଗାଡ଼ିରେ ନିଜ ଗ୍ରାମକୁ ପଠାଯାଇଥିଲା। ତେବେ ରାତି ସାଢେ୧୦ଟାରେ ଗାଡ଼ି ଡ୍ରାଇଭର ସେମାନଙ୍କୁ ମାଲକାନଗିରି ବାଲିମେଳା ଛକରେ ଓହ୍ଳାଇ ଦେଇ ପଳାଇଥିଲେ। ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଇ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ ଖବର ପାଇ ସେମାନଙ୍କୁ ରହିବା ଲାଗି ବ୍ୟବସ୍ଥା କରିଥିଲେ। ସୋମବାର ସେମାନଙ୍କୁ ଗାଡ଼ି ବ୍ୟବସ୍ଥା କରି ନିଜ ଗ୍ରାମକୁ ପଠାଇଛନ୍ତି।

Share