କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସଂଘର୍ଷ

କୋଲକାତା,୧୫ା୪(ପି.ଟି.): କ୍ୱାରାଣ୍ଟାଇନ ସେଣ୍ଟର ସ୍ଥାପନକୁ ବିରୋଧ କରି ମଙ୍ଗଳବାର ପଶ୍ଚିମବଙ୍ଗ ଆସାନସୋଲ ସହରର ଚରୁଲିଆ ଅଞ୍ଚଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୨୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ କ୍ୱାରାଣ୍ଟାଇନ ସେଣ୍ଟରରେ ପରିବର୍ତ୍ତନ କରିବା ଲାଗି ପୌରସଂସ୍ଥା ନିଷ୍ପତ୍ତି ନେଇଥିଲା। ମଙ୍ଗଳବାର ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗ ଓ ପୌରପାଳିକାର କେତେକ ଅଧିକାରୀ ସେଠାକୁ ପରିଦର୍ଶନରେ ଯାଇଥିବାବେଳେ ସ୍ଥାନୀୟ ଲୋକେ ଏକାଠି ହୋଇ ଏହାର ବିରୋଧ କରିଥିଲେ। ଲୋକମାନେ ଅଫିସରମାନଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। ଫଳରେ ପୋଲିସ ଡାକିବାକୁ ପଡ଼ିଥିଲା। ପୋଲିସକୁ ଦେଖି ଲୋକେ ଉତ୍ତ୍ୟକ୍ତ ହୋଇ ଟେକାମାଡ଼ ଆରମ୍ଭ କରିଦେଇଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏଥିରେ କେତେଜଣ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ପଛରେ ଥିବା ଲୋକମାନଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଛି।

Share