କ୍ୱାରାଣ୍ଟାଇନ ସେଣ୍ଟରରୁ ଖସି ପଳାଇଲେ ୬ ଶ୍ରମିକ

ବଡ଼ଗାଁ,୧।୫(ଡି.ଏନ.ଏ.): କରୋନା ପାଇଁ ସାରା ବିଶ୍ୱ ଚିନ୍ତିତ। ଏହାର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେବା ସହ କେତେକ କଟକଣା ଜାରି କରିଛନ୍ତି। ଭାରତକୁ ଏବେ ସମ୍ପୂର୍ଣ୍ଣ ଭାବେ ଲକ୍‌ ଡାଉନ୍‌ କରାଯାଇଛି। ଲୋକେ ଘରୁ ନ ବାହାରିବାକୁ କୁହାଯାଉଛି। ସେହିଭଳି ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ବ୍ୟବହାର କରିବା ଓ ଭଲରେ ହାତ ଧୋଇବାକୁ ସଚେତନ କରାଯାଉଛି। ତେବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକେ ବିଶେଷ କରି ଶ୍ରମିକଶ୍ରେଣୀର ଲୋକେ ଏହି ଲକ୍‌ ଡାଉନ ନିୟମ ମାନୁ ନାହାନ୍ତି। ଲୁଚି ଛପି ଏମାନେ ନିଜ ରାଜ୍ୟକୁ ପଳାଉଛନ୍ତି। ବରଗଡ଼ ଜିଲା ସରସରାର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା କେତେକ ବଙ୍ଗଳା ଶ୍ରମିକ ଏବେ ଚାଲି ଚାଲି ନିଜ ରାଜ୍ୟ ପଶ୍ଚିମବଙ୍ଗ ବାହାରିଛନ୍ତି । ପଶ୍ଚିମବଙ୍ଗ ଦକ୍ଷୀଣ ବିନାଜପୁର ଜିଲାର ବିହାବନ୍ଧରେ ଏମାନଙ୍କ ଘର। ଗତ ୨୨ ତାରିଖରୁ ଏମାନେ ଘରକୁ ଯିବା ଲାଗି ଚାଲିବା ଆରମ୍ଭ କରିଛନ୍ତି। ତେବେ ବଡ଼ଗାଁ ଜରଙ୍ଗଲୋଇ ନିକଟରେ ପୋଲିସ ଏମାନଙ୍କୁ ଗୁରୁବାର ଅଟକାଇଥିଲା। ପଚରାଉଚରା ପରେ ଏମାନେ ଘରକୁ ଫେରୁଥିବା ଜାଣିବାକୁ ପାଇ ଦେଓକରଣପୁରସ୍ଥିତି କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଥିଲା। କିନ୍ତୁ ଶୁକ୍ରବାର ଏମାନେ ସେଠାରୁ ଖସି ପଳାଇଛନ୍ତି।