କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା,୧୪ ଦିନ ପରେ ବି ସ୍ୱାସ୍ଥ୍ୟ ପରୀକ୍ଷା ହେଉନି

ନୂଆପଡ଼ା ଅଫିସ,୨୪ା୪- ଜିଲା ବାହାର କିମ୍ବା ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ କିମ୍ବା ଅନ୍ୟ ଶ୍ରେଣୀର ଲୋକଙ୍କୁ ପୃଥକ୍‌ ବାସରେ ରଖିବାକୁ କ୍ୱାରାଣ୍ଟାଇନ ସେଣ୍ଟର କରାଯାଉଛି। ସେଠାରେ ଖାଦ୍ୟ ପାନୀୟ ସହ ଜରୁରୀ ସେବା ଯୋଗାଇଦେବାର ନିୟମ ରହିଛି। ହେଲେ ଛତିଶଗଡ଼ ସୀମା ଖରିଆରରୋଡ ସହରରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରଗୁଡିକରେ ବ୍ୟାପକ ଅବ୍ୟବସ୍ଥା ରହିଛି ବୋଲି ପୃଥକ୍‌ବାସରେ ରହୁଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି।
ଖରିଆରରୋଡ ଏନ୍‌ଏସି ଅଞ୍ଚଳରେ ମୋଟ ୪ଟି ସେଣ୍ଟରରେ ୧୬୧ଜଣ ବହିରାଗତଙ୍କୁ ରଖାଯାଇଛି। ଉଦାହରଣ ଭାବେ ମୁଣ୍ଡାଗାଁ ସରକାରୀ ବୈଷୟିକ ତାଲିମ କେନ୍ଦ୍ରରେ ମୋଟ ୪୭ଜଣ ବ୍ୟକ୍ତି ରହୁଛନ୍ତି। ହେଲେ ସେମାନଙ୍କ ସକାଶେ ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଦିଷ୍ଟ ଆବଦ୍ଧ ଜାଗାରେ ରହୁଥିବା ବ୍ୟକ୍ତିମାନେ ଅଣନିଃଶ୍ୱାସୀ ହୋଇ କଏଦୀଙ୍କ ଭଳି ଜୀବନ ବିତାଉଥିବା ପଡୋଶୀ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଅଞ୍ଚଳର ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ନିଜ ଜିଲାସ୍ଥିତ ପଞ୍ଚାୟତକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି। ଅନ୍ୟପକ୍ଷେ ସେମାନଙ୍କୁ ଆବଶ୍ୟକ ସଚେତନ କରାଯାଉ ନ ଥିବାରୁ ସାମାଜିକ ଦୂରତ୍ୱ ନିୟମ ସେଠାରେ ଉଲ୍ଲଂଘନ କରାଯାଉଛି। ପୁଣି ଯେଉଁ ଲୋକମାନେ ପୃଥକ୍‌ବାସରେ ୧୪ ଦିନରୁ ଊର୍ଦ୍ଧ୍ୱ ରହି ସାରିଲେଣି ସେମାନଙ୍କର କୌଣସି ପ୍ରକାର ପରୀକ୍ଷା କରାଯାଉନାହିଁ କି ଘରକୁ ଛାଡିବାର ବ୍ୟବସ୍ଥା କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଏହା ଉପରେ ଖରିଆରରୋଡ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ମହାରଣାଙ୍କୁ ପଚାରିବାରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ତଥାପି ଲୋକେ ବିଭିନ୍ନ ପ୍ରକାର ବାହାନା କରୁଛନ୍ତି ବୋଲି କହିଛନ୍ତି। କେତେକ ସ୍ଥାନରେ ଲୋକମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସେମାନେ ଖୋଲାଖୋଲି ବାହାରେ ବୁଲୁଥିବା ଅଭିଯୋଗ ହୋଇଛି। ଏହା ଉପରେ ଜିଲା ପ୍ରଶାସନ ଗୁରୁତ୍ୱାରୋପ କରିବାକୁ ଦାବି ହୋଇଛି।