ଛତ୍ରପୁର, ୨୨।୫(ଡି.ଏନ୍.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ ଗୁରୁବାର ଓ ଶୁକ୍ରବାର ଘରକୁ ଯାଇଛନ୍ତି। ସେଥିମଧ୍ୟରେ ଡିପିଆରସିରୁ ୧୩୮ଜଣ, ବଡ଼ମାଧପୁର ଧୀରେଶ୍ୱର ବିଦ୍ୟାପୀଠ କ୍ୱାରାଣ୍ଟାଇନ ସେଣ୍ଟରରୁ ୩୦, ଛତ୍ରପୁର ସରକାରୀ ଆଇଟିଆଇରୁ ୧୨୯, ବଡ଼ମାଧପୁର ୟୁପି ସ୍କୁଲରୁ ୫୫ ଓ ଗୋବା କ୍ୱାରାଣ୍ଟାଇନ ସେଣ୍ଟରରୁ ୮୩ ଜଣ ରହିଛନ୍ତି। ଏମାନେ ଘରେ ୭ ଦିନ କ୍ୱାରାଣ୍ଟାଇନରେ ରହିବେ। ଘରକୁ ଗଲାବେଳେ ଜନସ୍ବାସ୍ଥ୍ୟ ଅଧିକାରୀ ବରୁଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ଏମାନଙ୍କର ଥର୍ମାଲ ସ୍କ୍ରିନିଂ କରିଥିଲେ। ସେମାନଙ୍କୁ କୋଭିଡ-୧୯ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରମାଣପତ୍ର ଦିଆଯାଇଛି। ଆବଶ୍ୟକ ହେଲେ ଏମାନେ ସ୍ବାସ୍ଥ୍ୟକର୍ମୀ ଭାବେ କାମ କରିପାରିବେ ବୋଲି କୁହାଯାଇଛି।
ପ୍ରକାଶ ଯେ, କ୍ୱାରାଣ୍ଟାଇନ ସେଣ୍ଟରରେ ଥିବାବେଳେ ଏମାନଙ୍କୁ କୋଭିଡ-୧୯ କମ୍ୟୁନିଟି ସ୍ବାସ୍ଥ୍ୟ କର୍ମୀ ତାଲିମ ପ୍ରଶାସନ ପକ୍ଷରୁ ପ୍ରଦାନ କରଯାଇଥିଲା।