Categories: ଖେଳ

କ୍ୱାର୍ଟରରେ ଚିରାଗ-ସାତ୍ତ୍ୱିକ

କୋପେନ୍‌ହାଗେନ୍‌, ୨୫ା୮(ପି.ଟି.):କୋପେନହାଗେନରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଗୁରୁବାର ଭାରତୀୟ ଖେଳାଳିଙ୍କୁ ମିଶ୍ର ଫଳ ମିଳିଛି। ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଯୋଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ମହିଳା ଡବଲ୍ସର କ୍ୱାର୍ଟର ଫାଇନାଲରେ ହରାରି ଯାଇଛନ୍ତି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସା ଜୋଲି। ଚମତ୍କାର ଫର୍ମରେ ରହିଥିବା ଚିରାଗ-ସାତ୍ତ୍ୱିକ ଯୋଡି ଇଣ୍ଡୋନେସିଆର ଲିଓ ରୋଲି କାର୍ନାଣ୍ଡୋ ଓ ଡାନିଏଲ ମାର୍ଟିନଙ୍କୁ ପରାସ୍ତ କରିଥିଲେ।
ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ଚିରାଗ-ସାତ୍ତ୍ୱିକ ଯୋଡି ୨୧-୧୫, ୧୯-୨୧ ଓ ୨୧-୯ ସେଟ୍‌ରେ ଷଷ୍ଠ ସିଡେଡ୍‌ ଇଣ୍ଡୋନେସିଆ ଯୋଡିଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌କୁ ଚିରାଗ-ସାତ୍ତ୍ୱିକ ୨୧-୧୫ରେ ଜିତି ନେଇଥିଲେ। ପରବର୍ତ୍ତୀ ସେଟ୍‌ଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ଅନ୍ତିମ ସେଟ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ୨୧-୯ରେ ଏକ ପାଖିଆ ଭାବରେ ଜିତି ନେଇଥିଲେ ଚିରାଗ-ସାତ୍ତ୍ୱିକ। ଅନ୍ୟ ପକ୍ଷରେ ଭାରତୀୟ ମହିଳା ଡବଲ୍ସ ଯୋଡି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ୨୧-୧୪ ଓ ୨୧-୯ ସେଟରେ ଚାଇନାର ଚେନ୍‌ କ୍ୱିଙ୍ଗ ଚେନ୍‌ ଓ ଜିଆ ୟି ଫାନଙ୍କ ଠାରୁ ପରାଜିତ ହୋଇଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡାର ବ୍ରୋଞ୍ଜ ପଦକ ବିଜୟିନୀ ଗାୟତ୍ରୀ-ତ୍ରିସା ଯୋଡି ଚାଙ୍ଗ ଚିଙ୍ଗ ହୁଇ ଓ ୟାଙ୍ଗ ଚିଙ୍ଗ ଟୁନ୍‌ଙ୍କୁ ପରାସ୍ତ କରି ପ୍ରି କ୍ୱାର୍ଟରରେ ପ୍ରବେଶ କରିଥିଲେ। ତେବେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଯୋଡିଙ୍କ ଆଗରେ ଉଭୟ ନିଷ୍ପ୍ରଭ ମନେ ହୋଇଥିଲେ।

Share