ଖଇରପୁଟ ବିଡିଓଙ୍କ ବଦଳି ନେଇ ତାତିଲେ ଲୋକ ପ୍ରତିନିଧି: ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ମାଲକାନଗିର/ଖଇରପୁଟ, ୧୮ା୧୨(ଡି.,ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କାର୍ଯ୍ୟାାଳୟକୁ ବୁଧବାର ବହୁ ସଂଖ୍ୟାରେ ଆଦିବାସୀ ମହିଳାପୁରୁଷ ଘେରାଉ କରି ବିଡିଓ ବିଶ୍ୱଜିତ ବର୍ମନଙ୍କ ବଦଳି ଦାବି କରିଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନେ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷା କୁମୁଦିନୀ କିର୍ସାନିଙ୍କ ନେତୃତ୍ୱରେ ସମସ୍ତ ସରପଞ୍ଚ, ଜିଲା ପରିଷଦ ସଭ୍ୟ, ଓ୍ବାର୍ଡମେମ୍ବର ପ୍ରମୁଖ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ବିଡିଓଙ୍କ ବଦଳି ନ ହେବା ଯାଏ ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଅଧ୍ୟକ୍ଷା କିର୍ସାନି କହିଛନ୍ତି। ବିଡିଓ ସମସ୍ତ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟହାର ପ୍ରଦର୍ଶନ କରିବା ସହ ପିଏମଏଓ୍ବାଇ ଯୋଜନାର ହିତାଧିକାରୀଙ୍କୁ ୫୦୦ ଟଙ୍କା ଏବଂ ଶୌଚାଳୟ ନିର୍ମାଣ ପାଇଁ ୨୦୦ ଟଙ୍କା ଲେଖାଏ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଲିଙ୍କେଜ ଓ ଋଣ ପାଇଁ ୫ ପ୍ରତିଶତ ଅର୍ଥ ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବଣ୍ଡା ଜନଜାତିଙ୍କ ଉନ୍ନୟନ ଯୋଜନାରେ ଆସୁଥିବା ଅର୍ଥ ହେରଫେର କରୁଛନ୍ତି। ତାଙ୍କ ଯୋଗୁ ଅଞ୍ଚଳର ବିକାଶ ବାଧାପ୍ରାପ୍ତ ହେଉଛି। କେବଳ ଲୋକ ପ୍ରତିନିଧି ନୁହନ୍ତି କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ବିଡିଓ ବର୍ମନ ଦୁର୍ବ୍ୟବହାର କରୁଛନ୍ତି। ତାଙ୍କୁ ଏଠାରୁ ବଦଳି ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ମୁଖ୍ୟରାସ୍ତା ଅବରୋଧ କରିବା ଯୋଗୁ ଗାଡିମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଖବର ପାଇ ଉପଜିଲାପାଳ ରାମେଶ୍ୱର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

Share