ଖଇରାରେ ଘରବାହୁଡା ପ୍ରକ୍ରିୟା ଆରମ୍ଭ

ଖଇରା, ୪।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ପରେ ଖଇରା ଅଞ୍ଚଳରୁ ଓଡିଶା ବାହରେ ରହୁଥିବା ବ୍ୟକ୍ତିମାନଙ୍କର ଘର ବାହୁଡା କାର୍ଯ୍ୟ ଆରମ୍ଭ ହୋଇଛି । ସୋମବାର ସକାଳେ ସୁରଟରୁ ୨ଟି ବସ ଯୋଗେ ଏହି ଲୋକମାନେ ଖଇରା ଫେରିଥିବା ଜଣାଯାଇଛି। ସେହିଭଳି ବାଙ୍ଗାଲୋରରୁ ଟ୍ରେନ ଯୋଗେ ଆସିଥିବା ବ୍ୟକ୍ତିମାନେ ଜଟଣି ଷ୍ଟେଶନରେ ଓହ୍ଲାଇବା ପରେ ୪ ଖଣ୍ଡ ବସ୍‌ ଯୋଗେ ସେମାନଙ୍କୁ ଖଇରା ଅଣାଯିବା ସହ ପ୍ରଶାସନ ଉଦ୍ୟମରେ ସୋମବାର ଅପରାହ୍ନରେ ସେମାନଙ୍କୁ ବିଭିନ୍ନ ଗ୍ରାମରେ ନିର୍ମିତ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି। ସେହିଭଳି ଆଗକୁ ବିଭିନ୍ନ ଅଞ୍ଚଳରୁ ଆହୁରି ଅଧିକ ସଂଖ୍ୟକ ବ୍ୟକ୍ତି ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ବିଭିନ୍ନ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି। ଖଇରା ପହଞ୍ଚିବା ପରେ ଏହି ବ୍ୟକ୍ତିମାନେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏବଂ ଆଇଆଇସି ସୁବ୍ରତ ବେହେରା ଲୋକମାନଙ୍କୁ ଶୃଙ୍ଖଳିତ ଭାବେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି।