ଖଇରାର ଗୌରବ ଅବିନାଶ

ଖଇରା, ୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଗ୍ରାମର ଅବିନାଶ ଦଳେଇ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୧୭୧ନମ୍ବର ସ୍ଥାନରେ ରହି ଖଇରା ପାଇଁ ଗୌରବ ଆଣିଦେଇଛନ୍ତି। ସୋମବାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବାପା ଭଗବାନ ଦଳେଇ ଓ ମା ପ୍ରମିଳାଙ୍କ ବଡ ପୁଅ ଅବିନାଶ ଖଡଗପୁରରେ ଆଇଆଇଟି ଶେଷ କରିବା ପରେ ଗୁଜରାଟରେ ରିଲାଏନ୍ସ କମ୍ପାନୀରେ ୨୦୧୩ରେ ଯୋଗ ଦେଇଥିଲେ। ପରେ ଗେଟ୍‌ କ୍ୱାଲିଫାଏ କରି ବମ୍ବେର ବିପିସିଏଲ(ଭାରତ ପେଟ୍ରୋଲିୟମ କର୍ପୋରେଶନ)ରେ ଯୋଗଦାନ କରିବା ସହ ସେଠାରେ ଏବେ କାର୍ଯ୍ୟରତ। ଅଲିପୁର ପ୍ରାଥମିକ ବିଦ୍ୟାଳୟ, ଅଲିପୁର ଶ୍ୟାମରାଈ ସଂସ୍କୃତ ବିଦ୍ୟାଳୟ ଏବଂ ପରେ ମହମ୍ମଦପୁର ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। ସେ କୁହନ୍ତି, ଏବେ ତାଙ୍କୁ କମ୍ପାନୀରେ ୧୨ଘଣ୍ଟା ପର୍ଯ୍ୟନ୍ତ ଡ୍ୟୁଟି କରିବାକୁ ପଡୁଛି। ତାହା ପୁଣି ରୋଟେଶନରେ। ଯେଉଁ ସପ୍ତାହରେ ନାଇଟ ଶିଫ୍ଟରେ କାର୍ଯ୍ୟ କରିବାକୁ ହୁଏ ତା’ପର ଦିନ ସକାଳେ ତାଙ୍କୁ ପଢିବା ପାଇଁ କିଛି ସମୟ ମିଳିଯାଏ। ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଆସିବା ପାଇଁ କମ୍ପାନୀ ଛୁଟି ଦେବାକୁ ରାଜି ନ ହେବାରୁ ସେ ଓଏଏସ ପରୀକ୍ଷା ଦେବେ ନାହିଁ ବୋଲି ମନସ୍ଥ କରିଥିଲେ। ହେଲେ ତାଙ୍କର ଜଣେ ମଉସା ସନ୍ଦୀପ ପରିଡାଙ୍କ ନିର୍ଦ୍ଦେଶ ପରେ ସେ ପରୀକ୍ଷା ଦେବାକୁ ଆସିଥିଲେ। ଏହି ସଫଳତାର ଶ୍ରେୟ ସେ ତାଙ୍କ ମଉସା, ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଲିପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ମା’ ପ୍ରମିଳାଙ୍କ ଆଶୀର୍ବାଦ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି ବୋଲି କହିଛନ୍ତି। ଆଗକୁ ଭାରତୀୟ ପ୍ରଶାସନିକ ସେବା ପାଇଁ ମଧ୍ୟ ସେ ପ୍ରସ୍ତୁତ ହେଉଥିବା କହିଛନ୍ତି।

Share