‘ଖଣି ଅଞ୍ଚଳ ରାସ୍ତା ୭ ଦିନରେ ମରାମତି କର’

ଯୋଡ଼ା ୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ସୋମବାର ଅନୁଷ୍ଠିତ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ରାସ୍ତାଘାଟ, ଜୁରୁଡି ଏସେଲ ମାଇନିଂ ଦ୍ୱାରା ପରିଚାଳିତ ହେଉଥିବା ଡିଏଭି ସ୍କୁଲ, ଅଧିକାଂଶ ଖଣି ବନ୍ଦ ଯୋଗୁ କାମଧନ୍ଧା ହରାଇ ଲୋକେ ଦାଦନ ଖଟିବାକୁ ଯିବା, ଆବାସ ଯୋଜନା ଓ ଭତ୍ତା ଆଦି ସମସ୍ୟା ସମ୍ପର୍କରେ ସମୁଦାୟ ୫୭ ଅଭିଯୋଗ ଆସିଥିଲା। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଏସପି, ମିତ୍ରଭାନୁ ମହାପାତ୍ର, ସିଡିଏମଓ ଅଶୋକ କୁମାର ଦାସ, ଚମ୍ପୁଆ ଉପଜିଲାପାଳ ପାରୁଲ ପଟାଓରୀ, ଯୋଡା ବ୍ଲକ ଅଧ୍ୟକ୍ଷା ଶୁକୁମାରୀ ଦେହୁରୀ, ଯୋଡା ବ୍ଲକ ବିଡିଓ କ୍ଷୀରୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ। ଖଣି ଅଞ୍ଚଳ ରାସ୍ତାର ଦୁରବସ୍ଥା ଓ ଟ୍ରାଫିକ୍‌ ଜାମ ସମସ୍ୟା ଗୁରୁତର ରୂପ ନେଉଥିବାରୁ ଯୋଡା-ବାମେବାରୀ ୨ ନମ୍ବର ରାଜ୍ୟ ରାଜପଥର ମରାମତି ଓ ସମ୍ପ୍ରସାରଣ କାମ ଏକସପ୍ତାହ ମଧ୍ୟରେ ସାରିବାକୁ କେନ୍ଦୁଝର ଶିବିରରେ ଗୁରୁତ୍ୱାରୋପ କରାଯାଇଥିଲା। ପରେ ଏହି ରାସ୍ତା ସମସ୍ୟା ନେଇ ଜିଲାପାଳ ଖଣି ଲିଜ୍‌ଧାରୀ ପ୍ରତିନିଧିଙ୍କ ସହିତ ପୃଥକ ବୈଠକ କରି ଆଲୋଚନା କରିଥିଲେ ା