Categories: ଜାତୀୟ

ଖଣି ଦୁର୍ନୀତିରେ ବୁଲନ୍ଦ ସହରର ଡିଏମ୍‌ଙ୍କ ଘରେ ଚଢ଼ାଉ

ଭୋପାଳ,୧୦।୭: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲା ନେଇ ବୁଧବାର ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଲନ୍ଦ ସହରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ୍‌) ଅଭୟ କୁମାର ସିଂହଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ତାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ଏହାକୁ ଗଣିବା ପାଇଁ ସିବିଆଇ ମେଶିନର ସାହାଯ୍ୟ ନେଇଛି। ଏହି ଚଢ଼ାଉ ପାଇଁ ପୂର୍ବରୁ ପୂରା ପ୍ରସ୍ତୁତି କରିଥିଲା ସିବିଆଇ। ଏଥିପାଇଁ ସିବିଆଇର ୪ଟି ଗାଡ଼ି ଅଭୟଙ୍କ ବାସଭବନରେ ପହଞ୍ଚିଥିଲା। ୨ଟି ଗାଡିରେ ଜରୁରୀ କାଗଜପତ୍ର ନିଆଯାଇଥିବା ବେଳେ ଅନ୍ୟ ୨ଟିରେ ସିବିଆଇ ଟିମ୍‌ ଯାଇ ଅଭୟଙ୍କ ଘରେ ଚଢ଼ାଉ କରିବା ସହ ପଚରାଉଚରା ଜାରି ରଖିଛି। ଏହି ଅବୈଧ ଖଣି ମାମଲା ୨୦୧୨ରୁ ୨୦୧୬ର ଘଟଣା। ଏହି ସମୟରେ ରାଜ୍ୟରେ ସମାଜବାଦୀ ପାର୍ଟି(ଏସ୍‌ପି)ର ସରକାର ରହିଥିଲା। ସେତେବେଳେ ଖଣି ମନ୍ତ୍ରାଳୟ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟରେ ରହିଥିଲା। ଅଭୟ ମଧ୍ୟ ୨୦୧୩ ରୁ ୨୦୧୪ ପର୍ଯ୍ୟନ୍ତ ଫତେପୁରର ଡିଏମ୍‌ ରହିଥିଲେ। ଏହି ମାମଲାରେ ଅଭୟଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ସିବିଆଇ ତାଙ୍କ ବିରୋଧରେ ଏହି ଚଢ଼ାଉ ଜାରି ରଖିଛି।

Share