ଖଣ୍ଡଗିରିରେ ହେବ ବସ୍‌ ଡିପୋ ନିର୍ମାଣ: ଖର୍ଚ୍ଚହେବ ୧୬୦.୬୬ କୋଟି, ୨୪ ମାସରେ ପ୍ରକଳ୍ପ ନିର୍ମାଣ ପାଇଁ ଦିନ ଧାର୍ଯ୍ୟ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଆଧୁନିକୀକରଣ କରାଯିବ। ଏହାକୁ ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରାଯିବ। ଏଥିସହିତ ବରମୁଣ୍ଡାଠାରେ ଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ ଡିପୋକୁ ଖଣ୍ଡଗିରିକୁ ସ୍ଥାନାନ୍ତର କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଦିଆଯାଇଥିବା ଏହି ୨ ପ୍ରସ୍ତାବକୁ ଗୁରୁବାର କ୍ୟାବିନେଟ ମଞ୍ଜୁରୀ ଦେଇଛି। ବରମୁଣ୍ଡାଠାରେ ବସ୍‌ ଓ ଯାତ୍ରୀମାନଙ୍କ ପାଇଁ ୧ ଲକ୍ଷ ୩୧ ହଜାର ୭୩୦ ବର୍ଗଫୁଟର ଟର୍ମିନାଲ ନିର୍ମାଣ କରାଯିବା ସହିତ ୧ଲକ୍ଷ ୭୦ ହଜାର ୯୧୨ ବର୍ଗଫୁଟ ବ୍ୟବସାୟିକ ପ୍ରତିଷ୍ଠାନ, ୩୫ଟି ବସ୍‌ ବେ ଏବଂ ୧୯୦ଟି ବସ୍‌ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିସହିତ ଜନସାଧାରଣଙ୍କ ସୁବିଧା ପାଇଁ ୨୫୦ରୁ ଊର୍ଦ୍ଧ୍ୱ ଚାରିଚକିଆ ଯାନ ଏବଂ ୧୭୫ ଦୁଇ ଚକିଆ ଯାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଟେଣ୍ଡର ମାଧ୍ୟମରେ ଏହାର ନିର୍ମାଣ ଦାୟିତ୍ୱ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନୀ, ଇଣ୍ଡିଆ ନାମକ ଏକ ସଂସ୍ଥାକୁ ଦିଆଯାଇଛି। ଏହି ୨ଟି ପ୍ରକଳ୍ପ ନିର୍ମାଣ ପାଇଁ ୧୬୦ କୋଟି ୬୬ ଲକ୍ଷ ୫୪ ହଜାର ଟଙ୍କା ଖର୍ଚ୍ଚ ହେବ। ଏହାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ। ଏହାଛଡ଼ା ଉକ୍ତ ସଂସ୍ଥା ଉଭୟ ବସ୍‌ ଟର୍ମିନାଲ ଓ ବସ୍‌ ଡିପୋର ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣା ଦାୟିତ୍ୱ ତୁଲାଇବେ। ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ତଥା ଓ୍ବାଇଫାଇ, ପାନୀୟ ଜଳ, ଇ-ଟିକେଟିଂ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ।

Share