ଖଣ୍ଡଗିରି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପରେ ଭୁବନେଶ୍ୱରରେ ଲଜ୍ଜା। ଖଣ୍ଡଗିରି ଥାନାଞ୍ଚଳରେ ଜଣେ ଯୁବତୀଙ୍କୁ ହୋଇଛି ବଳାତ୍କାର। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ମୁତାବକ, ଯୁବକଙ୍କ ଘର ଜଗତ୍‌ସିଂହପୁର ଜିଲାରେ ହୋଇଥିବାବେଳେ ସେ ଖଣ୍ଡଗିରି ଅଞ୍ଚଳର ଅନ୍ୟଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ପୀଡିତା ଜଣକ ମଧ୍ୟ ଉକ୍ତ ହସ୍ପିଟାଲର କର୍ମଚାରୀ ଅଟନ୍ତି। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା। ମଙ୍ଗଳବାର ଯୁବତୀ ଜଣକ ଘରକୁ ଫେରୁଥିବାବେଳେ ଯୁବକ ଜଣକ ତାଙ୍କୁ ଡାକିନେଇ ବଳାତ୍କାର କରିଥିଲେ। ପ୍ରଚୁର ରକ୍ତସ୍ରାବ ହେବାରୁ ଅଭିଯୁକ୍ତ ଯୁବକ କାର୍ଯ୍ୟ କରୁଥିବା ହସ୍ପିଟାଲକୁ ନେଇଥିଲେ। ପୀଡିତାଙ୍କ ଅବସ୍ଥା ଦେଖି ଡାକ୍ତରୀ ଟିମ୍‌ ପକ୍ଷରୁ ପୋଲିସ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପୋଲିସ ଉଭୟଙ୍କର ଡାକ୍ତରୀମାଇନା କରି ତଦନ୍ତ କରୁଛି।

Share