ଖଣ୍ଡଗିରି ଉଦୟଗିରି ପାହାଡ଼ରେ ଐତିହ୍ୟ ପଦଯାତ୍ରା: ଯୋଗଦେଲେ ପ୍ରଗତିସାଥୀ, ସ୍ଥାପତ୍ୟ ଛାତ୍ରୀଛାତ୍ର, ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଖଣ୍ଡଗିରି-ଉଦୟଗିରି ପାଦଦେଶରେ ୧୦୨ତମ ଐତିହ୍ୟ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୬୦ ଜଣ ପ୍ରଗତିସାଥୀଙ୍କ ସହ ୩୦ଜଣ ପର୍ଯ୍ୟଟକ ଯୋଗଦେଇଥିଲେ। ଏହି ପର୍ଯ୍ୟଟକଙ୍କ ମଧ୍ୟରୁ ୨୫ ଜଣ ସ୍ଥାପତ୍ୟ ଛାତ୍ରୀଛାତ୍ର ଥିଲେ। ଏଥର ପଦଯାତ୍ରା କିଛି ନିଆରା ରହିଥିଲା। ପଦଯାତ୍ରାରେ ଯୋଗଦେଇଥିବା ପ୍ରଗତିସାଥୀମାନେ କଳିଙ୍ଗର ଇତିହାସ ଓ ରାଜା ଖାରବେଳଙ୍କ ବିଷୟରେ ଜାଣିବା ସହ ଦୁଇ ପାହାଡ଼ରେ ପଡ଼ି ରହିଥିବା ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ଡଷ୍ଟବିନ୍‌ରେ ପକାଇଥିଲେ। ଏଥିସହ ପରିବେଶକୁ ସ୍ବଚ୍ଛ ରଖିବା ସହ କିପରି ଦୈନନ୍ଦିନ ଜୀବନରେ ସ୍ବଚ୍ଛତାକୁ ଆପଣାଇହେବ ସେନେଇ ସଚେତନ କରିଥିଲେ। ସମସ୍ତ ପର୍ଯ୍ୟଟକ ମଧ୍ୟ ପ୍ରଗତିସାଥୀଙ୍କ ସହ ସାମିଲ୍‌ ହୋଇ ଦୁଇ ପାହାଡ଼ରୁ ଆବର୍ଜନା ହଟାଇଥିଲେ।

ଉଲ୍ଲେଖଯୋଗ୍ୟ, ଯୋଗଦେଇଥିବା ପ୍ରଗତିସାଥୀ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ)ର ସୋସିଆଲି ସ୍ମାର୍ଟ ପ୍ରୋଜେକ୍ଟ ଅଧୀନରେ ତାଲିମ୍‌ ନେଉଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ସ୍ବଚ୍ଛତା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ବିଏସ୍‌ସିଏଲର ଅଧିକାରୀ ଶିଶିର ଗ୍ରହାଚାର୍ଯ୍ୟ, ସରୋଜିନୀ ବ୍ରହ୍ମା ଓ ହମାରା ବଚ୍‌ପନ୍‌ ଟ୍ରଷ୍ଟର ରୀନା ବେହେରାଙ୍କ ନେତୃତ୍ୱରେ ସେମାନେ ପଦଯାତ୍ରାରେ ଯୋଗଦେଇଥିଲେ।

Share