ଖଣ୍ଡଗିରି ଯାତ୍ରା: ନଗ୍ନନୃତ୍ୟ ବିରୋଧରେ ତେଜିଲା ସ୍ବର; ଥାନାରେ ଅଭିଯୋଗ କଲା ଓଡ଼ିଶା ନାରୀ ସଚେତନ ମଞ୍ଚ

ଭୁବନେଶ୍ୱର, ୯ା୨(ବ୍ୟୁରେ): ଖଣ୍ଡଗିରି ଯାତ୍ରାରେ ନଗ୍ନନୃତ୍ୟ ପ୍ରଦର୍ଶନକୁ ଓଡ଼ିଶା ନାରୀ ସଚେତନ ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ମଞ୍ଚ ସଭାପତି ଡଲି ରଥଙ୍କ ନେତୃତ୍ୱରେ ଏକ ଦଳ ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ସିପି ନ ଥିବାରୁ ତାଙ୍କ ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ଜଣେ ଏସିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚ ନେତ୍ରୀମାନେ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗରେ ଦର୍ଶାଇଥିଲେ ଯେ, ବିଏମ୍‌ସି, କମିଶନରେଟ ପୋଲିସ ଓ ଜିଲା ପ୍ରଶାସନର କଟକଣା କରାଯାଇଥିଲା। ଏହାସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ନଗ୍ନ ନୃତ୍ୟ ପ୍ରଦର୍ଶନ କରାଯାଉଛି। ତେଣୁ ଯାତ୍ରା ପାର୍ଟି ମାଲିକ, ଆୟୋଜକ ଏବଂ ନଗ୍ନନୃତ୍ୟ କରୁଥିବା ଯୁବତୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ। ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଅଭିଯୋଗ ରଖିବା ସହ ଏହା ଉପରେ ନଜର ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯଦି ପୁନର୍ବାର ଯାତ୍ରାରେ ନଗ୍ନନୃତ୍ୟ କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମହାପାତ୍ର ସେମାନଙ୍କୁ କହିଥିଲେ।

ମଞ୍ଚର ସଭାପତି ଡଲି ରଥ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ନଗ୍ନ ନୃତ୍ୟ ପ୍ରଦର୍ଶନ କଲେ ଆଇନଗତ ଅପରାଧ। ତେଣୁ ଆୟୋଜକ, ଯାତ୍ରାପାର୍ଟି ମ୍ୟାନେଜର ଓ ଡ୍ୟାନ୍ସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିଛି। ହେଲେ ପୋଲିସ ଜାଣିଶୁଣି ଚୁପ୍‌ ରହିଛି। ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ ହେଉଛି। ତେଣୁ ଏଭଳି ନୃତ୍ୟ କରାଇବା ପାଇଁ ପରୋକ୍ଷରେ ବିଧାୟକଙ୍କ ସମର୍ଥନ ରହିଥିବା ସେ ଅଭିଯୋଗ କରିଛନ୍ତି। ଯଦି ଆଗାମୀ ଦିନରେ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ କରାଯାଏ ତେବେ ମଞ୍ଚ ପକ୍ଷରୁ ଯାତ୍ରା ପାର୍ଟିରେ ଗେଟ୍‌ ଆଗରେ ଆନ୍ଦୋଳନ କରାଯିବ ବୋଲି ରଥ କହିଛନ୍ତି।
ଥାନାରେ ଅଭିଯୋଗ କରିବା ପରେ ନାରୀ ନେତ୍ରୀମାନେ ନଗ୍ନନୃତ୍ୟ ପ୍ରଦର୍ଶନ କରାଯାଉଥିବା ଯାତ୍ରା ପାର୍ଟି ନିକଟକୁ ଯାଇଥିଲେ। ସେଠାରେ ଯାତ୍ରାପାର୍ଟିର ମୁଖ୍ୟ ଗେଟ୍‌ ଆଗରେ ଲଗାଯାଇଥିବା ବ୍ୟାନ୍‌ରଗୁଡିକୁ ସେମାନେ ଯାଞ୍ଚ କରିଥିଲେ, ଯେଉଁଥିରେ ଅଶ୍ଳିଳତା ପ୍ରଦର୍ଶନ କରାଯାଇଥିଲା ତାହାକୁ ଚିରିବା ପାଇଁ ଉଦ୍ୟମ କରିଥିଲେ। ମହିଳା ନେତ୍ରୀମାନେ ଯାତ୍ରା ଆୟୋଜକ କମିଟି ସଦସ୍ୟ ଗୁଗୁଲି ରଥଙ୍କ ସହ ଆଲୋଚନା କରିଥିଲେ। ପୁଣି ଯଦି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରାଯାଏ ତେବେ ଆମେ ଆଇନ ହାତକୁ ନେବୁ ବୋଲି ନାରୀ ନେତ୍ରୀମାନେ ଚେତାବନୀ ଦେଇଥିଲେ। ଏନେଇ ଆୟୋଜକଙ୍କ ପକ୍ଷରୁ ଆଉ ନଗ୍ନନୃତ୍ୟ ହେବନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

Share