ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ ଭବନ ପରିସରରେ ଖତ ଖାଉଛି ୫୦ଟି ସିଟିବସ୍‌। ଗୋଟିଏ ପଟେ ସହରବାସୀ ସିଟିବସ୍‌ ସେବାରୁ ବଞ୍ଚିତ ହୋଇଥିବାବେଳେ ଅନ୍ୟପଟରେ ସରକାରଙ୍କ କୋଟିକୋଟି ଟଙ୍କା ନଷ୍ଟ ହେବାକୁ ବସିଛି। ଏହି ଯୋଜନା ସମ୍ପର୍କରେ ସିଏମ୍‌ସି ଅବଗତ ଥାଇ ମଧ୍ୟ ଆଖି ବୁଜି ବସିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।
କଟକ ସହର ଓ ଆଖପାଖ ଅଞ୍ଚଳକୁ ଯାତାୟତ ପାଇଁ ସିଏମ୍‌ସି ପକ୍ଷରୁ ବସ୍‌ ସେବା ଯୋଜନା କରାଯାଇଥିଲା। କଟକ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ସିୟୁଟିଏସ୍‌ଏଲ୍‌) ଏବଂ ସାହାରା ରୋଡୱେଜ ମଧ୍ୟରେ ଏ ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ୨୦୧୬ ଏପ୍ରିଲ୍‌ ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍‌ ସେବାକୁ ଉଦ୍‌ଘାଟନ କରିଥିଲେ। କଟକ ସହର ସମେତ ଆଖପାଖ ୧୦ଟି ଅଞ୍ଚଳକୁ ଏହି ସେବା ଦ୍ୱାରା ଯୋଡ଼ିବାକୁ ଉଦ୍ୟମ ହୋଇଥିଲା। ଚୌଦ୍ୱାର, ବାଙ୍କୀ, ମଙ୍ଗୁଳି, ଗୋପାଳପୁର, ନୂଆପଡା, ବିଜୁପଟ୍ଟନାୟକ ଛକ, ବିଡାନାସୀ, ତ୍ରିସୂଳିଆ, ଜଗତ୍‌ପୁର ଆଦି ଅଞ୍ଚଳକୁ ବସ୍‌ ସେବା ଉପଲବ୍ଧ କରାଯାଇଥିଲା। କେତେକ ଅଞ୍ଚଳକୁ ବସ ସେବା ଆରମ୍ଭ ହୋଇଥିବାବେଳେ ଆଉ କେତେକ ଅଞ୍ଚଳକୁ କିଛିମାସ ଚାଲିବା ପରେ ବସ୍‌ସେବା ଠପ୍‌ ହୋଇଯାଇଥିଲା। କେତେକ କାରଣ ଯୋଗୁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ସିଟିବସ ଭଡା ବୃଦ୍ଧି, ବସ୍‌ ଚଳାଚଳ ପାଇଁ ସମୟ ନିର୍ଘଣ୍ଟ ଠିକ୍‌ ନ ରହିବା ଓ ବସ୍‌ରେ ଯାତ୍ରୀ ସଂଖ୍ୟା କମୁଥିବାରୁ ଚଳାଚଳା ବାଧାପୟାପ୍ତ ହେଉଥିବା ସହବାସୀ ଅଭିଯୋଗ କରିଛନ୍ତି।
୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ସିଟିବସ ଚଳାଚଳ କରୁ ନ ଥିବାରୁ ଏବେ ସେଗୁଡିକ ନଷ୍ଟ ହେବାକୁ ବସିଛି। ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଥିବାରୁ ଏଗୁଡ଼ିକର ଟାୟାର ଓ ସିଟ୍‌ ନଷ୍ଟ ହେଲାଣି। ଏଥିସହ ବସ୍‌ରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଏହି ସମୟ ମଧ୍ୟରେ ସିଏମ୍‌ସିରେ ୪ଜଣ କମିଶନର ଦାୟିତ୍ୱ ନେଇ ବଦଳି ହୋଇ ଗଲେଣି। କିନ୍ତୁ କେହିବି ବସ୍‌ ସେବା ଯୋଜନା ସମ୍ପର୍କରେ ମୁଣ୍ଡ ଖେଳାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବସ୍‌ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଏ ନେଇ ଖୁବ୍‌ଶୀଘ୍ର ଏକ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଆଡଭୋକେଟ ରାଜୀବ ପଟ୍ଟନାୟକ କହିଛନ୍ତି, ଯଦି ବସ୍‌ଗୁଡ଼ିକ ମରାମତି ନ ହେଉଛି ତେବେ ସେଗୁଡ଼ିକ ବିକ୍ରି କରାଯିବା ଉଚିତ ହେବ।