‘ଖଦି ବଜାର’ ଆରମ୍ଭ: ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ଶନିବାର ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଉଦ୍‌ଘାଟିତ ହୋଇଯାଇଛି। ୟୁନିଟ୍‌-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର ଅନେକ ବ୍ୟବସାୟୀ ମେଳାରେ ଅଂଶ ଗ୍ରହଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ଶାଢ଼ି, ଖଦି ସାର୍ଟ, କୁର୍ତ୍ତା, ବିହାରର ସିଲ୍କ ଶାଢ଼ି, ସିଲ୍କ ସାଲ, ସିଲ୍କ ପୋଷାକ ଓ କଲିକତାର ସିଲ୍କ ଦୁପଟା, ଶାଢ଼ୀ ଏଭଳି ଅନେକ ସାମଗ୍ରୀ ଉପଲବ୍ଧ। ଏହି ମେଳାରେ ଗଁା ଗହଳିର ଓଡ଼ିଆ ପାରମ୍ପରିକ ଖାଦ୍ୟର ଷ୍ଟଲ ଖୋଲାଯାଇଛି। ଯାହା ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭବ ଆଣିଦେବ। ପ୍ରଦର୍ଶନୀରେ ପ୍ରତ୍ୟହ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ରବିବାର ଓଡ଼ିଆ ସିନେ ଜଗତର କଣ୍ଠଶିଳ୍ପୀ ଆୟୁଷ୍ମାନ ନାୟକ, ପିନୁ ଓ ସୋନମଙ୍କ ସହିତ ଅନେକ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଖଦି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସମାରୋହରେ ଅଧ୍ୟକ୍ଷତା କରି ଗ୍ରାମୀଣ କାରିଗର ଓ ହିତାଧିକାରୀମାନଙ୍କର ସାମଗ୍ରୀ ବହୁଳ ଭାବେ ବ୍ୟବହାର କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବୋର୍ଡର ସଚିବ ସରୋଜ କୁମାର ପଟେଲ ଧନ୍ୟବାଦ ଦେଇଥିଲେ। ବୋର୍ଡର ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାଶ ଉପସ୍ଥିତ ଥିଲେ।

Share