କୋଜିକୋଡ଼େ,୨୪।୩: ଖବରକାଗଜ ଯୋଗୁ ମଧ୍ୟ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଥିବା ନେଇ ଗୁଜବ ସୃଷ୍ଟି ହେବାପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସେହିପରି ଏବେ କେରଳ କୋଜିକୋଡ଼େର ଜଣେ ଡାକ୍ତର ଖବରକାଗଜ ଦ୍ୱାରା କରୋନା ସଂକ୍ରମଣ ହୋଇ ନ ଥାଏ ବୋଲି କହିଛନ୍ତି। ଘରକୁ ଆସୁଥିବା ଖବରକାଗଜ କେବଳ ପରିବାର ସଦସ୍ୟମାନେ ପଢ଼ିଥାନ୍ତି। ତେଣୁ ଏହା ସୁରକ୍ଷିତ। ତେବେ ବାହାରେ ରାସ୍ତାକଡ଼ରେ ସମସ୍ତଙ୍କ ପଢ଼ିବା ପାଇଁ ରଖାଯାଇଥିବା ଖବର କାଗଜ ସୁରକ୍ଷିତ ନୁହେଁ। ଏହାଯୋଗୁ ହୁଏତ କରୋନା ସଂକ୍ରମଣର ଆଶଙ୍କା ରହିପାରେ। ଏପରିସ୍ଥଳେ ଘରେ ଦାୟିତ୍ୱ ସମ୍ପନ୍ନ ହକରମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଖବର କାଗଜ ଯୋଗୁ କୌଣସି ସଂକ୍ରମଣର ଆଶଙ୍କା ନ ଥାଏ ବୋଲି ୨୦୧୮ରେ କେରଳରେ ନିଫା ଭୂତାଣୁ ସଂକ୍ରମଣ ରୋକିବାରେ ସଫଳ ହୋଇଥିବା ଡାକ୍ତର ଅନୁପ କୁମାର କହିଛନ୍ତି। ତେଣୁ ଘରକୁ ଆସୁଥିବା ଦୈନିକ ଖବରକାଗଜ ନେଇ ସୃଷ୍ଟି ହୋଇଥିବା ଗୁଜବ ମିଥ୍ୟା ବୋଲି ସେ କହିଛନ୍ତି।