ଖବରକାଗଜ ହକରଙ୍କୁ ସହାୟତା ଦେଲେ ପୂର୍ବତନ ଏମ୍‌ପି

ବାଲେଶ୍ୱର ଅଫିସ,୨୮।୪- କରୋନା ପାଇଁ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ତେବେ ପ୍ରତିଦିନ ଯେଉଁମାନେ କାମ କରି ପେଟ ପୋଷୁଥିଲେ, ରୋଜଗାର କରି ନିଜର ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏବେ ପରିସ୍ଥିତି ଦିନକୁ ଦିନ ଖରାପ ହୋଇ ପଡ଼ିଛି। ସେଭଳି ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବାଲେଶ୍ୱରର ପୂର୍ବତନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା। ଏହି ବିପତ୍ତି ସମୟରେ ସେ  ପ୍ରତିଦିନ ଖବରକାଗଜ ବାଣ୍ଟୁଥିବା ହକରଙ୍କୁ ଓ ରେଲୱେ ଷ୍ଟେସନ ଉପରେ ନିର୍ଭର କରି ଚଳୁଥିବା ଟ୍ୟାକ୍ସି ଚାଳକଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ପୂର୍ବତନ ଏମ୍‌ପିଙ୍କ ମାନସିଂବଜାର ଗୃହରେ ପ୍ରଥମେ ବଣ୍ଟନ କରାଯିବା ପରେ ଷ୍ଟେସନ ରାସ୍ତାରେ ଥିବା ଖବରକାଗଜ ବିତରକ ସଂଘର କାର୍ଯ୍ୟାଳୟରେ ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା। ୧୨୫ରୁ ଅଧିକ ପେପର ହକର ଓ ୩୬ ଜଣ ଟ୍ୟାକ୍ସି ଡ୍ରାଇଭରଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ସଭାପତି ଅରୁଣ କୁମାର ସ୍ବାଇଁ ଉପସ୍ଥିତ ଥିଲେ।