ଖବରକାଗଜ ହକରଙ୍କ ପାଇଁ କୋହଳ ହେଲା କଟକଣା: ବିତରଣ ପାଇଁ ୪, ବିକ୍ରି ପାଇଁ ୧ ଘଣ୍ଟା

ଭୁବନେଶ୍ୱର,୨୬।୩(ବ୍ୟୁରୋ)-କରୋନା(କୋଭିଡ୍‌-୧୯)ର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଖବରକାଗଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନଙ୍କୁ ସଚେତନ କରିବା ସହ ସେମାନଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବାରେ ଖବରକାଗଜ ଗୁରୁ ଦାୟିତ୍ୱ ବହନ କରୁଛି। କଟକଣା ଯୋଗୁ ଖବରକାଗଜ ବଣ୍ଟନରେ ବାଧା ସୃଷ୍ଟି ହୋଇଛି। ଖବରକାଗଜ ପରିବହନ କରୁଥିବା ଗାଡି ଏବଂ ହକରମାନଙ୍କୁ ଖବରକାଗଜ ବାଣ୍ଟିବା ନେଇ ଅନୁମତିି ଦିଆଯାଉ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖବରକାଗଜ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଗାଡି ଓ ହକରମାନଙ୍କୁ କଟକଣା ମୁକ୍ତ କରିଛନ୍ତି। ଏହାକୁ ଜରୁରୀ ସେବାଭୁକ୍ତ କରିବା ସହ ଏ ନେଇ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଗୁରୁବାର ଗାଇଡ୍‌ଲାଇନ ଜାରି କରାଯାଇଛି। ଖବରକାଗଜ ନେଇ ଯାଉଥିବା ଗାଡିଗୁଡିକୁ କୌଣସି ସ୍ଥାନରେ ଅଟକାଯିବ ନାହିଁ। ସେହିପରି ଖବରକାଗଜ ବଣ୍ଟନ ଦାୟିତ୍ୱରେ ଥିବା ହକରମାନଙ୍କୁ ବିଭିନ୍ନ ବିତରଣ କେନ୍ଦ୍ରରୁ ଖବରକାଗଜ ଉଠାଇବା ଓ ବାଣ୍ଟିବା ପାଇଁ ୪ ଘଣ୍ଟା ସମୟ ଦିଆଯାଇଛି। ହକରମାନେ ଭୋର ୪ଟାରୁ ୭ଟା ମଧ୍ୟରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ଏହାଛଡା ଖବରକାଗଜ ବିକ୍ରି ପାଇଁ ସକାଳ ୭ଟାରୁ ୮ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ତେବେ ସରକାରଙ୍କ ଦ୍ୱାରା କୋଭିଡ୍‌-୧୯ ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ କାର୍ଯ୍ୟରତ ବେଳେ ହକର ଓ ଯାନବାହନ ଚାଳକ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ନିଜ ହାତକୁ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଇଛି।

Share