ଖବରଦାତାଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ, (ଡି.ଏନ.ଏ)/ପୁରୀ ଅଫିସ, ୨୫ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ନଂ ୱାର୍ଡର ବାଲିସାହିସ୍ଥିତ ବାସଭବନକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ୩ଟି ବୋମା ପକାଇଥିବା ଜଣାପଡ଼ିଛି। ଦୁଇଟି ବୋମା ଘର ସମ୍ମୁଖରେ ପଡ଼ିଥିବାବେଳେ ଗୋଟିଏ ବୋମା ତାଙ୍କ ଗୁହାଳ ଘର ଆଜବେଷ୍ଟସ୍‌ ଉପରେ ପଡ଼ିବାରୁ ଆଜବେଷ୍ଟସ୍‌ କିଛି ଅଂଶ ନଷ୍ଟ ହୋଇଯାଇଛି। ତେବେ ବୋମାମାଡରେ ପତିଙ୍କ ପରିବାରର କାହାର କିଛି କ୍ଷତି ହୋଇନାହିଁ। ଏହି ସମୟରେ ପତିଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ପତିଙ୍କୁ ତାଙ୍କ ସାନଭାଇ ଫୋନ ଯୋଗେ ଜଣାଇବା ପରେ ସେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ଅବଗତ କରାଇଥିଲେ। ବୋମା ମାଡ଼ ଶବ୍ଦ ଶୁଣି କୋଣାର୍କ ବଜାରରେ ପାଟ୍ରୋଲିଂ କରୁଥିବା ପୋଲିସ ସମସ୍ତ ରାସ୍ତାକୁ ସିଲ କରି ଦେଇଥିଲା। ମାଧିପୁର ଛକରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ଦୁଇଟି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ଖସି ପଳାଇଥିଲେ। ପୋଲିସ ସେମାନଙ୍କ ପିଛା କରିଥିଲେ ମଧ୍ୟ ପତ୍ତା ପାଇ ନ ଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଶୁକ୍ରବାର ଘଟଣାସ୍ଥଳକୁ ପୁରୀ ଅତିରିକ୍ତ ଏସ୍‌ପି ଅରୁଣ କୁମାର ଜେନା, ନିମାପଡା ଏସ୍‌ଡିପିଓ ପ୍ରଦୀପ୍ତ କୁମାର ଦଳାଇ ଓ ସାଇଣ୍ଟିଫିକ୍‌ ଟିମ, ସ୍ପେଶାଲ ସ୍କାଡ୍‌ ଯାଇ ତଦନ୍ତ କରିଛନ୍ତି। ବୋମା ମାଡ଼ର କାରଣ ଜଣାପଡ଼ିନାହିଁ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଗୋପ ତହସିଲଦାର ପୃଥୀରାଜ ମଣ୍ଡଳ, କୋଣାର୍କ ଏନ୍‌ଏଏସି ନିର୍ବାହୀ ଅଧିକାରୀ ଏମ୍‌.ଶ୍ରୀନିବାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋଣାର୍କ ସାମ୍ବାଦିକ ସଂଘ ଦାବି କରିଛି। ସେହିପରି ପୁରୀ ଜିଲା ଖବରଦାତାମାନେ ଏହି ଘଟଣା ନେଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଆଦି ବିଭିନ୍ନ ଦାବି ଏଥିରେ ଉଲ୍ଲେଖ ରହିଛି।

Share