Categories: ମେଟ୍ରୋ

ଖବରଦାତା ନିର୍ଭୀକ ହୋଇ ଖବର ପରିବେଷଣ କରନ୍ତୁ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଦୈନିକ ଖବରକାଗଜ ସ୍ବାଧିକାରର ୭ମ ବାର୍ଷିକୋତ୍ସବ ଉପଲକ୍ଷେ ଗୁରୁବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଧିକାର ସ୍ବନକ୍ଷତ୍ର ବିଶେଷାଙ୍କକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାଧିକାରର ଉନ୍ନତି ସହ ଶୁଭକାମନା କରିଛନ୍ତି। ସ୍ବନକ୍ଷତ୍ର ଉତ୍ସବ ଉପଲକ୍ଷେ ପୂର୍ବାହ୍ନରେ ସୂଚନା ଭବନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖବରଦାତାମାନେ ନିର୍ଭୀକ ହୋଇ ଖବର ପରିବେଷଣ କରିବାକୁ ଅତିଥିମାନେ ମତ ଦେଇଥିଲେ। ବର୍ତ୍ତମାନ ସମଗ୍ର ଦେଶରେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଯେଉଁ ଅବକ୍ଷୟ ଘଟୁଛି, ଏଭଳି ପରିସ୍ଥିତିରେ ଖବରକାଗଜଗୁଡ଼ିକ ଏହା ବରୋଧରେ ସ୍ବରୋତ୍ତୋଳନ କରନ୍ତୁ ବୋଲି ଆହ୍ବାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂ, ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସରକାରଙ୍କ ‘ମୋ ପରିବାର’ର ଆବାହକ ତଥା ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏବଂ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ସ୍ବାଧିକାରର ସମ୍ପାଦକ ଅକ୍ଷୟ କୁମାର ପତି ଖବରକାଗଜର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା।

Share