ଖବର କାଗଜ ଅବା ଚିଠିରେ ବ୍ୟାପେନା କରୋନା

ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଏରୋସଲ ବୈଜ୍ଞାନିକ ଲିନ୍ସେ୍‌ ମାରେ କହିଛନ୍ତି ଯେ, କରୋନା ଖବର କାଗଜ ଅବା ଚିଠି ଦ୍ୱାରା ବ୍ୟାପେନା। ଯଦି ଏନେଇ ମନରେ କିଛି ସନ୍ଦେହ ସୃଷ୍ଟି ହୁଏ ତେବେ ଚିଠି ଅବା ଖବର କାଗଜକୁ ବାହାରେ ୪-୫ ଘଣ୍ଟା ପାଇଁ ରଖିଦେଲେ ଭଲ। ମାତ୍ର ଚିଠି କିମ୍ବା ଖବର କାଗଜ ଦ୍ୱାରା କରୋନା ସଂକ୍ରମଣ ଘଟିଥିବାରୁ କୌଣସି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ମିଳି ନ ଥିବା ସେ କହିଛନ୍ତି। ସେହିପରି କେଶ, ଦାଢ଼ି ନିଶ ଏବଂ ପୋଷାକ ଦ୍ୱାରା ଏହା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଛି। ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣରୁ ସହଜରେ ଦୂରେଇ ରହିହେବ ବୋଲି ସେ କହିଛନ୍ତି। ସେହିପରି ସଂକ୍ରମିତଙ୍କ ପୋଷାକ ଧୋଇବାରେ ଗରମ ପାଣିର ବ୍ୟବହାର କଲେ ଭୂତାଣୁ ନଷ୍ଟ ହୋଇଯାଇଥାନ୍ତି। ତେଣୁ ସଂକ୍ରମିତଙ୍କ ଧୁଆ ପୋଷାକକୁ ଅନ୍ୟମାନଙ୍କ ଲୁଗାପଟା ସହିତ ମିଶାଇ ରଖିଲେ କୌଣସି ବିପଦର ଆଶଙ୍କା ନ ଥାଏ। ସେହିପରି ଜୋତା ସୋଲ୍‌ ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଛି। ଚାଇନାରେ କେତେକ ସ୍ବାସ୍ଥ୍ୟକର୍ମୀଙ୍କ ଜୋତା ସୋଲ୍‌ରେ କରୋନା ଭୂତାଣୁ ରହିଥିବା ଜଣାପଡ଼ିଥିଲା। ସେମାନେ ସଂକ୍ରମିତଙ୍କ ସହିତ ରହୁଥିବାରୁ ଏଭଳି ହୋଇଥିବା ଆଶଙ୍କା କରାଯାଇଥିଲା। ମାତ୍ର ସାଧାରଣ ଭାବେ ଜୋତା ସୋଲ୍‌ରୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅତି କମ୍‌ ବୋଲି ମାରେ କହିଛନ୍ତି।

Share