ଖବର କାଗଜ ବିକାଳି ପିଲାକୁ ନେଇ ଏତେ ବଡ ପୋଷ୍ଟ ଲେଖିଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ମଙ୍ଗଳବାର ସେ ଫେସ୍‌ବୁକରେ ଏମିତି ଏକ ପୋଷ୍ଟ ଲେଖିଛନ୍ତି ଯାହାକୁ ଏପର୍ଯ୍ୟନ୍ତ ପ୍ରାୟ ୫୫ ହଜାର ଲାଇକ୍‌ ମିଳିଥିବା ବେଳେ ୫ ହଜାର କମେଣ୍ଟ ମିଳି ସାରିଲାଣି। ‘ଏକ ମୂଲ୍ୟବାନ କାହାଣୀ’ ଶୀର୍ଷକରେ ସେ ଏହି ପୋଷ୍ଟଟି କରିଛନ୍ତି। ଏହା ଜଣେ ଖବର କାଗଜ ବିକାଳି ପିଲାଙ୍କ କାହାଣୀ। ଯାହାକୁ ବଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବିଲ୍‌ ଗେଟ୍ସ ଶୁଣାଇଥିଲେ। ତା’ର ହିନ୍ଦୀ ଅନୁବାଦକୁ ଅମିତାଭ ତାଙ୍କ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି। ଦିନେ ବିଲ୍‌ ଗେଟ୍ସଙ୍କୁ କେହି ପଚାରିଥିଲେ ଆପଣଙ୍କଠାରୁ କେହି ଧନୀ ବ୍ୟକ୍ତି ଏ ବିଶ୍ୱରେ ଅଛନ୍ତି କି। ସେ ଉତ୍ତର ଦେଇଥିଲେ ହଁ, ମୋଠାରୁ ଜଣେ ଧନୀ ବ୍ୟକ୍ତି ଏ ବିଶ୍ୱରେ ଅଛନ୍ତି। ସେ କହିଛନ୍ତି ଯେତେବେଳେ ମୁଁ ବିଶ୍ୱର ଧନୀ ତାଲିକାରେ ନ ଥିଲି ସେତେବେଳେ ମୁଁ ନ୍ୟୁୟର୍କ ବିମାନ ବନ୍ଦରରେ ସକାଳୁ ସକାଳୁ ଗୋଟିଏ ଖବର କାଗଜ କିଣିବାକୁ ଯିବା ସମୟରେ ମୋ ପାଖରେ ଖୁଚୁରା ଟଙ୍କା ନ ଥିଲା। ଫଳରେ ମୁଁ ଖବର କାଗଜ ନ କିଣି ଫେରି ଆସୁଥିବା ସମୟରେ ଖବର କାଗଜ ବିକ୍ରି କରୁଥିବା ଛୋଟ ପିଲାଟିଏ ମୋତେ ଖଣ୍ଡେ କାଗଜ ବଢାଇ ଦେଇ କହିଥିଲେ ଏଇଟା ମୁଁ ଆପଣଙ୍କୁ ମାଗଣାରେ ଦେଉଛି ନିଅନ୍ତୁ। ଏହାପରେ ମୁଁ ଖବର କାଗଜ ଖଣ୍ଡକ ନେଇ ଚାଲି ଆସିଥିଲି। ଆଉ ଦିନେ ଏହି ଘଟଣାର ପୁନରାବୃତ୍ତି ହୋଇଥିଲା। ମୋ ପାଖରେ ଖୁରୁଚା ଟଙ୍କା ନ ଥିବାରୁ ମୁଁ ଖବର କାଗଜ ନ ଆଣିବାକୁ ଚାହୁଁଥିବା ବେଳେ ପିଲାଟି ମୋତେ ଖଣ୍ଡେ କାଗଜ ଆଣି ଦେଇଥିଲେ। ହେଲେ ମୁଁ ନେବାକୁ ମନା କରିବାରୁ ପିଲାଟି ଉତ୍ତରରେ କହିଥିଲେ ଏହା ମୋ ଲାଭ ଟଙ୍କା। ମୁଁ ଯଦି ଆପଣଙ୍କୁ ଏହା ମାଗଣାରେ ଦିଏ ତେବେ ମୋର କିଛି କ୍ଷତି ହେବ ନାହିଁ। ଏହାପରେ ଗେଟ୍ସ ସେହି ଖବର କାଗଜଟିକୁ ନେଇ ଆସିଥିଲେ। ସମୟ କ୍ରମେ ସେ ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟି ଗଲେ ସେତେବେଳେ ସେ ସେହି ଖବର କାଗଜ ବିକାଳି ପିଲାଟିକୁ ଖୋଜିଲେ। ଦୀର୍ଘ ଦେଢ ମାସ ପରେ ସେ ପିଲାଟିକୁ ଖୋଜି ପାଇଲେ। ଆଉ କହିଲେ ମୋତେ ଚିହ୍ନି ପାରୁଛ। ପିଲାଟି ଉତ୍ତର ଦେଇଥିଲା ହଁ ଆପଣ ବିଲ୍‌ ଗେଟ୍ସ। ମୁଁ ୨ ଥର ଅପାଣଙ୍କୁ ମାଗଣାରେ ଖବର କାଗଜ ଦେଇଥିଲି। ଯାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ କହିଲେ ଏବେ ତୁମେ ଯାହା କହିବ ମୁଁ ତାହା ତୁମ ପାଇଁ କରିଦେବି। ହେଲେ ପିଲାଟି କହିଲା ଯେତେବେଳେ ମୁଁ ଆପଣଙ୍କୁ ମାଗଣାରେ ଖବର କାଗଜ ଦେଇଥିଲି ସେତେବେଳେ ଆପଣ ମୋତେ ଏ କଥା ପଚାରି ନ ଥିଲେ। ହେଲେ ଏବେ ଧନୀ ହେବା ପରେ ଆପଣ କ’ଣ ମୋ କାମର ଉଚିତ୍‌ ମୂଲ୍ୟ ଦେଇ ପାରିବେ। ସେତେବେଳେ ଗେଟ୍ସ ଅନୁଭବ କରିଥିଲେ କି ଏ ବିଶ୍ୱରେ ମୋଠାରୁ ବି ଜଣେ ଧନୀ ବ୍ୟକ୍ତି ଅଛନ୍ତି। ଆଉ ସେ ହେଉଛନ୍ତି ଏହି ଖବର କାଗଜ ବିକାଳି ପିଲାଟି। ତେଣୁ କାହାକୁ ସାହାଯ୍ୟ କରିବାକୁ ହେଲେ ଧନୀ ହେବା ଜରୁରୀ ନୁହେଁ। ମନରେ ଧନୀ ହେଲେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିପାରିବ। ଅମିତାଭଙ୍କ ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share