ଖରାଦିନେ କରୋନା ସଂକ୍ରମଣ କମିବା ଆଶଙ୍କା କମ୍‌: ଭାରତ-ବ୍ରାଜିଲ୍‌ରେ ୨ ଗୁଣା ବେଗରେ ପାଉଛି ବୃଦ୍ଧି; ଶୀତପ୍ରଧାନ ଦେଶରେ ରଚିଥିଲା ୯୦ ଦିନର ମୃତ୍ୟୁ ତାଣ୍ଡବ !

ଓ୍ବାଶିଂଟନ,୧୪।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ଆତଙ୍କ ଦେଖାଦେଇଛି। ଗତ ୯୦ ଦିନ ଧରି କରୋନା ପୃଥିବୀର ଶୀତପ୍ରଧାନ ଦେଶଗୁଡ଼ିକରେ ମୃତ୍ୟୁର ତାଣ୍ଡବ ରଚିଥିଲା। ଏବେ ଗତ ୧୨ ଦିନ ଧରି ଗ୍ରୀଷ୍ମପ୍ରଧାନ ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଗ୍ରୀଷ୍ମପ୍ରଧାନ ଦେଶ ଭାରତରେ ଗତ ୪ ଦିନ ମଧ୍ୟରେ କରୋନା ସଂକ୍ରମଣ ୨ ଗୁଣା ବଢ଼ିଛି ବୋଲି ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ବ୍ରାଜିଲ୍‌ରେ ୬ ଦିନ ମଧ୍ୟରେ ଏହାର ବେଗ ୨ ଗୁଣାହୋଇଛି। ସମ୍ପ୍ରତି ଭାରତର ତାପମାତ୍ରା ହାରାହାରି ୩୨ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ରହିଛି। ଏପ୍ରିଲ୍‌ ମାସର ପ୍ରଥମ ୧୨ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୭୮୦୦ ବଢ଼ିଛି। ୟୁଏଇରେ ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ଥିବାବେଳେ ଏଠାରେ ଗତ ୧୨ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଛୁଇଁଛି। ବ୍ରାଜିଲ୍‌ର ତାପମାତ୍ରା ଏହି ସମୟ ମଧ୍ୟରେ ହାରାହାରି ୨୬ ଡିଗ୍ରୀ ଥିବାବେଳେ ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାରରେ ପହଞ୍ଚିଛି। ଇକ୍ୱାଡୋରରେ ୫.୫ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣା ହେଉଥିବାବେଳେ ଚିଲିରେ ୬, ପେରୁରେ ୩.୫, କଲମ୍ବିଆରେ ୭ ଏବଂ ଆର୍ଜେଣ୍ଟିନାରେ ୧୨.୫ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣା ହେବାରେ ଲାଗିଛି। ଚାଇନାର ଗବେଷକ ମତପୋଷଣ କରିଥିଲେ ଯେ, ଖରାଦିନେ କରୋନା ସଂକ୍ରମଣ କମିଯିବ। ତେବେ ଏବେ ଏହି ଥିଓରୀ ଭାରତ ସମେତ ଅନ୍ୟ ଗ୍ରୀଷ୍ମପ୍ରଧାନ ଦେଶରେ ଫେଲ୍‌ ହୋଇଥିବା କୁହାଯାଉଛି। କିନ୍ତୁ କରୋନା ସଂକ୍ରମଣ ତାପମାତ୍ରା ବୃଦ୍ଧି ପାଇଲେ କମିବନି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚିତ କରାଯାଇଥିଲା।

Share