Advertisement
Categories: ଗଞ୍ଜାମ

ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ। କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ। ଜୈବିକ ପଦ୍ଧତିରେ ଚାଷ ହେଉଥିବା ଏହି ହଳଦୀକୁ ନିକଟରେ ମିଳିଛି ଜିଆଇ ମାନ୍ୟତା। ବର୍ଷାଦିନେ ବାଟି ଛତୁ, ଶ୍ରାବଣ କଢ଼ର ଚାହିଦା ମଧ୍ୟ ରହିଛି। ଯାହାକୁ କିଲୋ ପ୍ରତି ୪୦୦ରୁ ୫୦୦ ଟଙ୍କାରେ ବିକ୍ରି କରାଯାଏ। ସେହିପରି ଖରାଦିନ ଆରମ୍ଭରୁ ଜିଲାରେ ମିଳେ ବରଡା ଶାଗ। ପ୍ରାୟ ଏପ୍ରିଲ ମାସ ତୃତୀୟ ସପ୍ତାହରୁ ଜୁନ ଶେଷ ପର୍ଯ୍ୟନ୍ତ ଏହା ବଜାରରେ ମିଳେ। ସାଧାରଣତଃ ଶାଗକୁ ବିଡ଼ାରେ ବିକ୍ରି କରା ଯାଉଥିବା ବେଳେ ବରଡ଼ା ଶାଗକୁ ଓଜନରେ ବିକ୍ରି କରାଯାଏ। ଯାହାର ଦର କେଜି ପ୍ରତି ୧୦୦ ଟଙ୍କା। ଋତୁକାଳୀନ ଏହି ଶାଗ ବିକି ବ୍ୟବସାୟୀ ଲାଭବାନ ହେଉଛନ୍ତି। ଏପରିକି ଜଣେ ଜଣେ ଦିନକୁ ୨ରୁ ୩ ହଜାର ଟଙ୍କାର କେବଳ ବରଡା ଶାଗ ବିକିଥାନ୍ତି।
ବରଡ଼ା ଗଛର କଅଁଳିଆ ପତ୍ରକୁ ଶାଗ ଭାବେ ଖିଆଯାଏ। ଏହି ଗଛ ଚାକୁଣ୍ଡା ସଦୃଶ। ଏଥିରେ ଚଢ଼ି କଅଁଳ ପତ୍ର ତୋଳିବା ବହୁ କଠିନ କାର୍ଯ୍ୟ। ବର୍ଷାଦିନେ ପତ୍ର ବଡ ହୋଇଗଲେ ପୁଣି ଅପେକ୍ଷା ରୁହେ ଆରବର୍ଷକୁ। କୌଣସି ସାର ପିଡିଆ ଦିଆଯାଇ ବରଡ଼ା ଶାଗ ହେଉ ନ ଥିବାରୁ ଏହା ସମ୍ପୂର୍ଣ୍ଣ ହାଇଜେନିକ ବୋଲି ସହରବାସୀ ମତ ଦିଅନ୍ତି। ୧୦/୧୫ ବର୍ଷ ତଳେ ଏହା କମ୍‌ ଦାମରେ ବିକ୍ରି ହେଉଥିଲା। ୧ ଟଙ୍କାରେ ପାଏ ବା ୨୫୦ ଗ୍ରାମ ଶାଗ ମିଳୁଥିଲା। ଏବେ କେଜି ୧୦୦ ଟଙ୍କା ହେଲାଣି। ଟଙ୍କା ଯେତେ ହେଉ, ଏହି ଶାଗ ଖାଇବା ମଜା ନିଆରା ବୋଲି ଫୁଲବାଣୀର ସୁବାସ ବେହେରା ପ୍ରକାଶ କରିଛନ୍ତି।
ସେହିପରି ଫୁଲବାଣୀ ସହରକୁ ଶାଗ ବିକ୍ରି କରିବାକୁ ଆସିଥିବା ଜି.ଉଦୟଗିରିର ଅବଦୁଲ ଆଲଫା କୁହନ୍ତି, ପ୍ରତିଦିନ ୩ରୁ ୪ ହଜାର ଟଙ୍କାର ଶାଗ ବିକ୍ରି କରୁଛି। ରବିବାର ହେତୁ ବ୍ୟବସାୟ ଟିକେ ମାନ୍ଦା ଥିଲେ ବି ୧୭୦୦ ଟଙ୍କାର ଶାଗ ବିକିଛି। ଅନ୍ୟଦିନେ ପ୍ରାୟ ମଧ୍ୟାହ୍ନ ସୁଦ୍ଧା ୩୦ କିଲୋ ପାଖାପାଖି ଶାଗ ବିକ୍ରି ସରିଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel