ଖରାପ ପାଗ ଯୋଗୁ ଓହ୍ଲାଇ ପାରିଲାନି ବିମାନ: ଆକାଶ ମାର୍ଗରୁ ଫେରିଲେ ମୁଖ୍ୟଶାସନ ସଚିବ

ବଲାଙ୍ଗୀର ଅଫିସ,୨୨ା୮: ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୁଧବାର ବଲାଙ୍ଗୀର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ସକାଳ ପ୍ରାୟ ସାଢ଼େ ୭ଟାରୁ ଭୁବନେଶ୍ୱର ବିମାନବନ୍ଦରରୁ ସେ ଏକ ବିମାନରେ ବଲାଙ୍ଗୀର ଜିଲା ତୁଷରା ଅଭିମୁଖେ ଆସିଥିଲେ। ହେଲେ ଖରାପ ପାଗ କାରଣରୁ ତୁଷରା ଉଡାଜାହାଜ ପଡିଆରେ ତାଙ୍କ ବିମାନ ଅବତରଣ କରି ନ ପାରିବାରୁ ସେ ଆକାଶମାର୍ଗରୁ ଭୁବନେଶ୍ୱର ଫେରିଯାଇଥିବା ଜଣାପଡିଛି। ମୁଖ୍ୟ ଶାସନ ସଚିବ ତ୍ରିପାଠୀ ବୁଧବାର ପ୍ରଥମ କରି ନିଜ ଜନ୍ମଭୂମି ବଲାଙ୍ଗୀର ଜିଲା ଗସ୍ତରେ ଆସୁଥିଲେ । ସକାଳ ୮ଟା ୧୫ ମିନିଟ୍‌ରେ ତାଙ୍କ ବିମାନ ତୁଷରା ଉଡାଜାହାଜ ପଡିଆରେ ଅବତରଣ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଖରାପ ପାଗ କାରଣରୁ ବିମାନଟି ଅବତରଣ କରିପାରି ନ ଥିଲା। ପରେ କଳାହାଣ୍ଡି ଜିଲା ଉତ୍‌କେଲା ଉଡାଜାହାଜ ପଡିଆରେ ବିମାନ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା । ସେଠାରେ ମଧ୍ୟ ପାଗ ଖରାପ ଯୋଗୁ ସେହି ପରିସ୍ଥିତି ସୃଷ୍ଟି ହୋଇଥିଲା।ଶେଷରେ ପାଇଲଟ ବିମାନକୁ ଭୁବନେଶ୍ୱର ଫେରାଇ ନେଇଥିଲେ । ମୁଖ୍ୟ ଶାସନ ସଚିବଙ୍କୁ ସ୍ବାଗତ କରିବା ପାଇଁ ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି କେ.ଶିବା ସୁବ୍ରମଣି ଓ ଅନ୍ୟ ଅଧିକାରୀମାନେ ତୁଷରା ଉଡାଜାହାଜ ପଡ଼ିଆରେ ଅପେକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହ ସେହି ବିମାନରେ ଜଳସମ୍ପଦ ବିଭାଗ ପ୍ରଧାନ ସଚିବ ପି.କେ. ଜେନା, ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଥିଲେ। ଏଥିଯୋଗୁ ବଲାଙ୍ଗୀର ଏନ୍‌ଏଚ୍‌ଏମ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ସମୀକ୍ଷା ବୈଠକକୁ ବାତିଲ କରାଯାଇଥିଲା।

Share