ଖରାପ ରହିଲା ଲକ୍‌ଡାଉନ ୪.୦: ପ୍ରତି ଘଣ୍ଟାରେ ସଂକ୍ରମିତ ହେଲେ ୨୭୧ ଜଣ

ନୂଆଦିଲ୍ଲୀ,୩୧।୫: ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି କରୋନା ଭାଇରସ ସଂକ୍ରମଣ। ଏହାକୁ ରୋକିବାକୁ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଲକ୍‌ଡାଉନ ଜାରି କରାଯାଇଛି। ତେବେ ମେ’ ୧୬ ପରେ ଜାରି କରାଯାଇଥିବା ଲକ୍‌ଡାଉନ ୪.୦ ସବୁଠାରୁ ଖରାପ ରହିଲା ବୋଲି ଆକଳନ କରାଯାଇଛି। କାରଣ ଏହି ସମୟରେ ଦେଶରେ ପ୍ରତି ଘଣ୍ଟାରେ ପାଖାପାଖି ୨୭୧ ଜଣ କେରାନାରେ ସଂକ୍ରମିତ ହୋଇଛନ୍ତି। ରବିବାର ଲକ୍‌ଡାଉନ ୪.୦ର ଅବଧି ଶେଷ ହେଉଥିବା ବେଳେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୮୨,୧୪୩ରେ ପହଞ୍ଚିଛି। ସୂଚନାଯୋଗ୍ୟ, ମେ’ ୧୬ରେ ଲକ୍‌ଡାଉନ ୩.୦ର ଅବଧି ଶେଷ ହୋଇଥିଲା। ଆଉ ସେହି ସମୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାଥିଲା ପ୍ରାୟ ୯୦,୯୨୭। ହେଲେ ଏବେ ଏହି ସଂଖ୍ୟା ୧,୮୨,୧୪୩ରେ ପହଞ୍ଚିଛି। ଅର୍ଥାତ୍‌ ଲକ୍‌ଡାଉନ ୪.୦ରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ଏଥିରୁ ଅନୁମାନ କରାଯାଇଛି କି ପ୍ରତି ଘଣ୍ଟାରେ ପ୍ରାୟ ୨୭୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ଶେଷ ୬ ଦିନରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଛି। ମେ’ ୨୪ରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୭୬୭ ଥିବା ବେଳେ ମେ’ ୨୫ରେ ଏହା ୬,୯୭୭ରେ ପହଞ୍ଚିଲା। ସେହିପରି ମେ’ ୨୮ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭,୪୬୬ରେ ପହଞ୍ଚିଥିବା ବେଳେ ଶନିବାର ସଂକ୍ରମିତଙ୍କ ସଂଖ୍ୟା ଥିଲା ୭,୯୬୫ ହେଲେ ରବିବାର ଏଥିରେ ବୃଦ୍ଧି ଘଟି ୮,୩୮୦ରେ ପହଞ୍ଚିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

Share