ଖରାବର୍ଷାରେ ପଲିଥିନ ତଳେ ୩୭ ପରିବାର: ସୁରାଦେଇ ଜବରଦଖଲ ଉଛେଦକୁ ୪୫ ଦିନ ବିତିଲା

ଖଜୁରିପଡା,୨୪ା୪(ଡି.ଏନ.ଏ.)- ଖଜୁରିପଡା ବ୍ଲକ ସୁରାଦେଇ ଗ୍ରାମରେ ଦୀର୍ଘ ୧୦ବର୍ଷ ଧରି ଜବରଦଖଲ କରି ରହି ଆସୁଥିବା ୩୭ ପରିବାରଙ୍କୁ ମାର୍ଚ୍ଚ ୭ରେ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଥିଲା। ଖଣ୍ଡେ ଲେଖାଏ ଜରିପାଲ ଦେଇ ପ୍ରଶାସନ କାମ ସାରିଦେଇଛି। ୪୫ ଦିନ ହେଲା ଖରାବର୍ଷାରେ ପିଲାଛୁଆ ଧରି ସେମାନେ ପାଲତଳେ ପଡି ରହିଛନ୍ତି। ଲକ୍‌ଡାଉନ୍‌ ସେମାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଉଚ୍ଛେଦକାରି ପରିବାର ମାନଙ୍କ ଏକା ଜିଦ୍‌ ମରିବୁ ପଛେ ସେହି ଜାଗା ଛାଡ଼ିବୁ ନାହିଁ। ଲଟାବୁଦା ଘେରା ସ୍ଥାନକୁ ସଫା କରି ୧୦ ବର୍ଷ ହେଲା ରହୁଥିଲୁ। ପ୍ରଶାସନ ମଧ୍ୟ ନଳକୂପ, ଧର୍ମ ମଣ୍ଡପ, ବିଦ୍ୟୁତ ସଂଯୋଗ, ରାସ୍ତା ଆଦି ସବୁ ବ୍ୟବସ୍ଥା କରିଥିଲା। ଏହି ଠିକଣାରେ ଆଧାର କାର୍ଡ, ରାଶନ କାର୍ଡ, ଭୋଟ ପରିଚୟପତ୍ର ଅଛି। ଏତେସବୁ ପରେ ଆମ ଘର ଭାଙ୍ଗି ଦିଆଗଲା। ବର୍ଷାପବନ ଯାହା ହେଉ ଏଠାରେ ରହିବୁ ଯାହାହେବ ଭଗବାନ ଭରଷା ବୋଲି କହିଛନ୍ତି ଉଚ୍ଛେଦ ପରିବାର।

Share