ଗ୍ବାଲିୟର,୨୭।୫: ଦେଶରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏହା ସହିତ ଉତ୍କଟ ଜଳ ସମସ୍ୟା ମଣିଷ ସହିତ ଅନ୍ୟ ପ୍ରାଣୀଙ୍କୁ ଅସ୍ତବ୍ୟସ୍ତ କରୁଛି। ତେବେ ମଧ୍ୟପ୍ରଦେଶ ଗ୍ବାଲିୟରରେ ବାସ କରୁଥିବା ନାସିର ଭାଇ ବିଭିନ୍ନ ପ୍ରାଣୀଙ୍କ ପାଇଁ ସହରର ଭିନ୍ନ ଭିନ୍ନ ସ୍ଥାନରେ ଭଙ୍ଗା ମାଟି ପାତ୍ରରେ ପିଇବା ପାଣି ଭର୍ତ୍ତି କରୁଛନ୍ତି। ଗତ ୧୦ ବର୍ଷ ଧରି ସେ ଏପରି କାର୍ଯ୍ୟ ଜାରି ରଖିଛନ୍ତି। ସକାଳୁ ହାତରେ ପଲିଥିନ୍ ବ୍ୟାଗ୍ରେ ପାଣି ଧରି ସେ ଏଭଳି କରୁଛନ୍ତି। ବିଭିନ୍ନ ପାର୍କରେ ନାସିର ଭାଇ ରଖିଥିବା ପାଣି ପକ୍ଷୀମାନେ ପିଉଥିବାବେଳେ ରାସ୍ତାର ବୁଲା କୁକୁର ଓ ଗାଈଗୋରୁ ପାଣି ପିଉଛନ୍ତି। ନାସିର ଭାଇଙ୍କ ଏହି କାର୍ଯ୍ୟ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଫୁଲବାଗ୍ ଅଞ୍ଚଳରେ ଶହଶହ ପକ୍ଷୀ ନାସିର ଭାଇ ଦ୍ୱାରା ରଖାଯାଇଥିବା ପାଣି ପିଇବାକୁ ଆସୁଛନ୍ତି। ଦିନସାରା ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ପରିବେଶ ମନୋରମ ହେଉଛି।