ଖରାରେ ସିଝୁଛି ପାଲଟପୁର

ଆରଡ଼ି, ୨୧।୫(ଡି.ଏନ.ଏ.) – ଜାରି ରହିଛି ତାତି। ଅସହ୍ୟ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଲୋକେ ଘରେ ରହିପାରୁ ନାହାନ୍ତି କି ବାହାରକୁ ବାହାରି ପାରୁନାହାନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ନାନ୍ଦପୁର ପଞ୍ଚାୟତ ଅଧୀନ ପାଲଟପୁର ଗଁା ଖରାରେ ସିଝୁଛି। ଫନୀ ଆସି ତାଣ୍ଡବ ରଚି ଚାଲିଗଲା। ଉପାଡ଼ି ଦେଇ ଯାଇଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ। ସେବେଠାରୁ ଗଁା ଅନ୍ଧାରରେ। ନୂଆ ଖୁଣ୍ଟ ପଡ଼ି ତାର ଟଣାଚାଲିଛି। କେବେ ବିଜୁଳି ଆସିବ ତାହାକୁ ଚାତକ ପରି ଚାହିଁରହିଛନ୍ତି ଗ୍ରାମବାସୀ।
ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଏହି ଗଁାର ଲୋକସଂଖ୍ୟା ପ୍ରାୟ ୮ଶହ। ପାନୀୟଜଳ ପାଇଁ ବସିଛି ମାତ୍ର ୨ଟି ନଳକୂପ। ସକାଳୁ ରାତି ପର୍ଯ୍ୟନ୍ତ ଏହି ନଳକୂପ ମୂଳେ ଭିଡ଼ ଲାଗିରହୁଛି। ପିଲାଙ୍କଠୁ ଆରମ୍ଭ କରି ଯୁବକ ଓ ବୁଢ଼ା ସମସ୍ତେ ଏବେ ଗାଧୋଇବା ପାଇଁ ଗଁା ଦଳ ପୋଖରୀକୁ ବାଛିନେଇଛନ୍ତି। ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୋଖରୀ ହୁଡ଼ାରେ ଥିବା ଗଛମୂଳେ ଓ ରାତିରେ ଗଁା ଦାଣ୍ଡରେ ଶୋଉଛନ୍ତି ଲୋକେ। ପୂର୍ଣ୍ଣିମା ଓ ଅମାବାସ୍ୟାରେ ଗଁାକୁ ଲାଗି ବହିଯାଇଥିବା ସାଳନ୍ଦୀ ନଦୀର ଜୁଆର ବାଡ଼ି ତଳକୁ ଚାଲିଆସେ। ଆଉ କୁମ୍ଭୀର ବି ଉଠିଆସନ୍ତି ଗଁା ଦାଣ୍ଡକୁ। ଏବେ ନଦୀପଠାରେ ଡଙ୍ଗା ବାନ୍ଧି ନିଜକୁ ସୁରକ୍ଷିତ ମଣୁଛନ୍ତି ଲୋକେ। ଗଁାରେ ୨ ଜଣ ବୃଦ୍ଧା ଅଂଶୁଘାତରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ପରେ ନିକଟରେ ଗଁାକୁ ଫେରିଛନ୍ତି। ପ୍ରାୟ ୧୫ ଦିନ ହେଲା ବର୍ଷା ଦାଉ ସାଧୁଛି। ବର୍ଷା ଠିକ୍‌ ଭାବେ ହେଉନି। ବିଜୁଳି ରହିଲେ ହୁଏତ କିଛିଟା ତ୍ରାହି ପାଆନ୍ତେ ଲୋକେ। ବାତ୍ୟା ଫନୀ ପାଲଟପୁରବାସୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି ବୋଲି ଗ୍ରାମର ପୂର୍ବତନ ଓ୍ବାର୍ଡମେମ୍ବର ନବକିଶୋର ଭୋଇ କହିଛନ୍ତି। ଅସୁରାଳି ବିଦ୍ୟୁତ୍‌ ଡିଭିଜନ କନିଷ୍ଠଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି, ଏହି ଗଁାର ବିଲରେ ଥିବା ସମସ୍ତ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ତାର ମଧ୍ୟ ଛିଡ଼ିଯାଇଛି। ଯେଉଁପଟେ ପୂର୍ବରୁ ବିଦ୍ୟୁତ୍‌ ତାର ଆସିଥିଲା, ସେପଟେ ଆଉ ବିଦ୍ୟୁତ୍‌ ସଂଯୋଗ ନ କରି ଶୀତଳପୁର ପାର୍ଶ୍ୱଦେଇ ଯୋଗାଇ ଦିଆଯିବ। ଏବେ ସେଠାରେ ଖୁଣ୍ଟ ପୋତା ସରିଛି। ୨ରୁ ୩ ଦିନ ମଧ୍ୟରେ ଏହି ଗ୍ରାମବାସୀ ବିଦ୍ୟୁତ୍‌ ସେବା ପାଇପାରିବେ ବୋଲି କନିଷ୍ଠଯନ୍ତ୍ରୀ ଦାସ କହିଛନ୍ତି।