କେନ୍ଦୁଝର, ୧୨।୫(ସ୍ବ.ପ୍ର.): ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ବେଳେ ଅନେକ ସମୟରେ ଅପରାହ୍ନ ଓ ରାତିରେ କାଳ ବୈଶାଖୀ ଯୋଗୁ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ଏପରି ଜଳବାୟୁରେ ପରିବର୍ତ୍ତନକୁ ନେଇ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲାରେ ମଙ୍ଗଳବାର ସକାଳେ ହଠାତ୍ ଘନ କୁହୁଡି ପରିବେଶ ସମସ୍ତଙ୍କୁ ଚକିତ କରିଛି। ଖରା ଦିନରେ ଏଭଳି କୁହୁଡିଆ ପରିବେଶ, ବିଭିନ୍ନ କାରଣରୁ ଜଳବାୟୁରେ ଦେଖା ଦେଉଥିବା ପରିବର୍ତ୍ତନର ଦୃଷ୍ଟାନ୍ତ ବୋଲି ପରିବେଶବିତ୍ ହରେକୃଷ୍ଣ ମହାନ୍ତ କହିଛନ୍ତି। କୁହୁଡି ଯୋଗୁ ଯାତାୟତରେ ଗାଡ଼ି ଚାଳକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ବ୍ୟାପକ ଜଙ୍ଗଲ ଓ ପରିବେଶ କ୍ଷୟ ଯୋଗୁ ଏଭଳି ଅନିଶ୍ଚିତତା ପାଗ ଦେଖିବାକୁ ମିଳୁଛି ବୋଲି ମତ ପ୍ରକାଶ ପାଉଛି। ପ୍ରବଳ ଗରମ ପରେ ହଠାତ୍ କୁଆ ପଥର ଓ କାଳ ବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇ ହଠାତ୍ ପରିବେଶ ଥଣ୍ଡା ହୋଇ ଯାଉଥିବାରୁ ଏହାର ପ୍ରଭାବ ଜୀବଜଗତ ଉପରେ ପଡୁଛି ବୋଲି ପରିବେଶବିତ ରମେଶ ଚନ୍ଦ ମିଶ୍ର କହିଛନ୍ତି।