ଖରିଫ୍‌ରେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ କୃଷି କାର୍ଯ୍ୟ ପ୍ରଭାତିତ ହୋଇଛି। ତେଣୁ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଯୋଗାଇ ଦେବା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମକୁ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମନ୍ତ୍ରୀ ନିଗମ ଦ୍ୱାରା ପରିଚାଳିତ ସାମନ୍ତପୁରସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର, ରାଜ୍ୟ ବିହନ ପରୀକ୍ଷାଗାର, ଜିନ୍‌ ବ୍ୟାଙ୍କ୍‌ ଏବଂ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ପରିଦର୍ଶନ କରିଥିଲେ। ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମନ୍ତ୍ରୀ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ପ୍ୟାକିଂ ଆଦି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ବିହନ ପରୀକ୍ଷାଗାରରେ ବିହନର ଗୁଣାତ୍ମକ ମାନ କିପରି ପରୀକ୍ଷା କରାଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସର୍ବଦା ବିହନର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସେଠାରେ ଥିବା ବିହନ ଜିନ୍‌ ବ୍ୟାଙ୍କରେ ସାଇତି ରଖାଯାଇଥିବା ପ୍ରାୟ ୧୨୦୦ରୁ ୧୩୦୦ ପ୍ରକାରର ବିହନ ଦେଖିଥିଲେ। ଏହାପରେ ମନ୍ତ୍ରୀ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ଯାଇ ସେଠାରେ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ଗୋଦାମରେ ବିହନ କିପରି ସୁରକ୍ଷିତ ଭାବେ ରଖାଯାଉଛି ସେ ସବୁକୁ ବୁଲି ଦେଖିଥିଲେ। ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିବା ଅବସରରେ ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀମାନଙ୍କୁ ବିହନ ଯୋଗାଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ। ଚାଷୀମାନେ ଯେପରି ଠିକଣା ସମୟରେ ଉନ୍ନତ ମାନର ବିହନ ସହଜରେ ପାଇପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Share