ଖରିଫ୍‌ ଋତୁ ଧାନ ସଂଗ୍ରହ ୨୦୧୯-୨୦: ୧୩୦୦ରୁ ଅଧିକ ଚାଷୀଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ଧାନ ସଂଗ୍ରହ କିପରି ଚାଲୁଛି, ସେ ସମ୍ପର୍କରେ ପ୍ରତ୍ୟକ୍ଷ ଖବର ନେବା ପାଇଁ ଏଯାବତ୍‌ ୧୩୦୦ରୁ ଅଧିକ ଚାଷୀଙ୍କ ସହ କଲ୍‌ସେଣ୍ଟର ଜରିଆରେ କଥାବାର୍ତ୍ତା କରାଯାଇଥିବା ଜଣାପଡିଛି। ଚଳିତ ଖରିଫ୍‌ ଋତୁ ୨୦୧୯-୨୦ରେ ଧାନ ସଂଗ୍ରହ କାର୍ଯ୍ୟ ଗତ ନଭେମ୍ବରରୁ ଆରମ୍ଭ ହୋଇଛି। ଗତ ୩୦ ତାରିଖରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟସ୍ଥିତ କଲ୍‌ସେଣ୍ଟରରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୨୦ ଜଣ ଚାଷୀଙ୍କ ସହ ଫୋନ ଯୋଗେ ଧାନ ସଂଗ୍ରହ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଚାଷୀମାନେ ମୁଖ୍ୟତଃ ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରି ଜିଲାର ଥିଲେ।
ସେହିପରି ଡିସେମ୍ବର ପହିଲାରେ କଲ୍‌ସେଣ୍ଟର ଜରିଆରେ ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଓ ସମ୍ବଲପୁରର ୪୧୫ ଚାଷୀଙ୍କୁ ସେମାନଙ୍କର ପଞ୍ଜୀକୃତ ମୋବାଇଲ୍‌ ନମ୍ବର ଯୋଗେ ଧାନ ସଂଗ୍ରହ କାର୍ଯ୍ୟ, ବିକ୍ରି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ଏବଂ ଆଗୁଆ ଟୋକନ ପାଇବା ସମ୍ପର୍କରେ ଅଧିକାରୀମାନେ ପଚାରି ବୁଝିଥିଲେ। ସେମାନଙ୍କ ମଧ୍ୟରୁ ୪୦୮ ଚାଷୀ ଆଗୁଆ ଟୋକନ ପାଇଥିବା ଓ ୩୫୮ ଜଣ ସେହିଦିନ ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଅର୍ଥ ପାଇଥିବା ଏବଂ ୩୮୦ଜଣ ଧାନ ସଂଗ୍ରହ କେନ୍ଦ୍ରର କାର୍ଯ୍ୟଧାରା ସମ୍ପର୍କରେ ସନ୍ତୋଷ ପ୍ରକାଶ କରିଥିଲେ। ଡିସେମ୍ବର ୨ରେ ବରଗଡ଼, କଳାହାଣ୍ଡି ଓ ସମ୍ବଲପୁରର ୭୦୫ ଚାଷୀଙ୍କ ସହ କଥାବାର୍ତ୍ତା କରାଯାଇଥିଲା। ତନ୍ମଧ୍ୟରୁ ୬୫୫ ଜଣ ସେହିଦିନ ସନ୍ଧ୍ୟା ସୁଦ୍ଧା ଧାନ ବିକ୍ରି ଅର୍ଥ ପାଇଥିବା ଜଣାପଡିଛି। ସେହିପରି ୬୯୨ ଜଣ ଆଗୁଆ ଟୋକନ ପାଇଥିବା ଏବଂ ୬୭୬ ଧାନ ସଂଗ୍ରହ କେନ୍ଦ୍ରରେ ସୁବିଧାରେ ଧାନ ବିକିଛନ୍ତି। ଡିସେମ୍ବର ୩ରେ ବରଗଡ଼, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ମାଲକାନଗିରିର ୨୬୭ ଚାଷୀ ଫୋନ ମାଧ୍ୟମରେ କଥା ହୋଇଥିଲେ। ତନ୍ମଧ୍ୟରୁ ୨୨୯ ଚାଷୀ ସେହିଦିନ ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଯୋଗେ ଅର୍ଥ ପାଇଥିଲେ। ଅନୁରୂପଭାବେ ୨୬୬ ଜଣ ଆଗୁଆ ଟୋକନ ପାଇଥିବା ଏବଂ ୨୫୦ ଜଣ ଧାନ ସଂଗ୍ରହ ବାବଦରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

Share