ଖରିଫ ଶସ୍ୟବୀମା ପ୍ରଦାନ ଦାବି: ଚାଷୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

ସମ୍ବଲପୁର, ଜମନକିରା,୪।୧(ବ୍ୟୁରୋ/ ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮-୧୯ ଖରିଫ ଧାନଚାଷ ବୀମାରାଶି ପ୍ରଦାନ କରାଯାଇ ନଥିଲା। ଏ ନେଇ ପୂର୍ବ ନିଷ୍ପତ୍ତିକ୍ରମେ ଶନିବାର କୁଚିଣ୍ଡା ବ୍ଲକ୍‌ ସମେତ ବାମରା ଓ ଜମନକିରା ବ୍ଲକ୍‌ ସଦର ମହକୁମା ଗୁଡ଼ିକରେ ଚାଷୀମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିଛନ୍ତି। ଏହା ସହିତ ୪୯ ଓ ୫୩ ନଂ. ରାଜରାସ୍ତାକୁ ବୀମା ପ୍ରଦାନ ନହେବା ଯାଏ ଅବରୋଧ କରାଯିବ ବୋଲି ମିଳିତ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି। କୁଚିଣ୍ଡା ମୁଖ୍ୟଛକରେ ଅବରୋଧ କରାଯାଇଥିବା ବେଳେ ବାମରା ଓ ଜମନକିରା ବ୍ଲକ୍‌ କାର୍ଯ୍ୟାଳୟ ରାଜରାସ୍ତା ୫୩ନଂ.ରେ ରାସ୍ତା ଅବରୋଧ କରାଯାଇ ଆନ୍ଦୋଳନ କରାଯାଇଛି। ବ୍ଲକ୍‌ ଗୁଡ଼ିକରେ ଥିବା ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଆଗରେ ଚାଷୀମାନେ ପିକେଟିଂ କରିଛନ୍ତି। ତେବେ ସ୍ବତଃସ୍ଫୂର୍ତ୍ତ ଲୋକେ ନିଜ ନିଜ ଦୋକାନ ଓ ବ୍ୟବସାୟିକ ସଂସ୍ଥା ବନ୍ଦ କରିଛନ୍ତି। ବନ୍ଦ ଫଳରେ ଯାନବାହନ ରାସ୍ତାର ଉଭୟ ପଟେ ଅଟକି ରହିଛନ୍ତି। ଖବର ଲେଖା ଯିବା ପର୍ଯ୍ୟନ୍ତ ଧାରଣାସ୍ଥଳକୁ କୌଣସି ଅଧିକାରୀ ଆସିନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କୃଷି ଆର୍ଥିକ ବର୍ଷ ୨୦୧୮-୧୯ରେ ଜମନକିରା ତଥା କୁଚିଣ୍ଡା ଉପଖଣ୍ଡର ଚାଷୀ ଭୟାବହ ମରୁଡ଼ିର ଶିକାର ହୋଇଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ବୀମାରାଶି ପ୍ରଦାନ କରାଯାଇ ନଥିଲା। ଏନେଇ ସରକାର ଓ ପ୍ରଶାସନକୁ ବାରମ୍ବାର ଜଣାଇ ଆସୁଥିବା ସତ୍ତ୍ୱେ ବୀମା ସହାୟତା ପ୍ରଦାନ ନ କରାଯିବାରୁ ଏହି ଆନ୍ଦୋଳନ ଚାଲୁଛି।